ନଳକୂପ ଅଛି, ପାଣି ନାହିଁ: ରୁଝେନ୍ ମାଲ ବୁଧୁ ପଡ଼ାରେ ଟୋପେ ପାନୀୟ ଜଳ ପାଇଁ ହାହାକାର ।

ବରଗଡ଼,୨୩/୦୫: ଅତାବିରା ବ୍ଲକ ଅନ୍ତର୍ଗତ ଟାଙ୍ଗରପାଲି ପଞ୍ଚାୟତର ରୁଝେନ ମାଲ ବୁଧୁ ପଡ଼ାରେ ପାନୀୟ ଜଳ ସଙ୍କଟ ଉଗ୍ର ରୂପ ଧାରଣ କରିଛି। ଏହି ପଡ଼ାରେ ପ୍ରାୟ ୧୫ ରୁ ୧୬ଟି ଗରିବ ଖଟିଖିଆ ଓ ମଜୁରିଆ ପରିବାର ବସବାସ କରନ୍ତି। ଗ୍ରୀଷ୍ମଋତୁରେ ପଡ଼ାବାସୀଙ୍କ ଜଳ ଆବଶ୍ୟକତା ପୂରଣ ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଦୁଇଟି ନଳକୂପ ଖନନ କରାଯାଇଛି ସତ, ହେଲେ ତାହା ଲୋକଙ୍କ ଶୋଷ ମେଣ୍ଟାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ନଳକୂପରୁ ଆବଶ୍ୟକ ମୁତାବକ ଜଳ ବାହାରୁ ନାହିଁ। ଏହାର ବିକଳ୍ପ ସ୍ୱରୂପ ବାମ ପାର୍ଶ୍ୱରେ ଅନ୍ୟ ଏକ ନଳକୂପ ଖନନ କରାଯାଇଥିଲା, ଯେଉଁଥିରୁ ବହୁ କଷ୍ଟରେ ବାଲଟିଏ ପାଣି ମିଳୁଥିଲା। ମାତ୍ର କିଛି ଦିନ ପୂର୍ବରୁ ଏହି ନଳକୂପଟିକୁ ମରାମତି କରାଯିବା ପରେ, ସେଥିରୁ ଜଳ ବାହାରିବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଡାହାଣ ପାର୍ଶ୍ୱ ନଳକୂପର ସ୍ୱଳ୍ପ ଜଳ ଉପରେ ସମସ୍ତେ ନିର୍ଭର କରୁଥିବା ବେଳେ ବାମ ପାର୍ଶ୍ୱ ନଳକୂପଟି ଏବେ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ି ରହିଛି।ଏପଟେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଜନଜୀବନ ଆଉଟୁପାଉଟୁ ହେଉଥିବା ବେଳେ, ଅନ୍ୟପଟେ ବିଶୁଦ୍ଧ ପାନୀୟ ଜଳ ଟୋପେ ପାଇଁ ଲୋକେ ଡହକବିକଳ ହେଉଛନ୍ତି।ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଆର୍.ଡବ୍ଲ୍ୟୁ.ଏସ୍.ଏସ୍ ଯନ୍ତ୍ରୀ ରଞ୍ଜନ ନାଏକଙ୍କ ସହ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲା। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, କିଛି ଦିନ ତଳେ ନଳକୂପ ସଜଡ଼ା ଯାଇଥିବାରୁ ଏବେ ସେଥିରୁ ଗୋଳିଆ ପାଣି ବାହାରୁଛି ଏବଂ ଖୁବ୍ ଶୀଘ୍ର ତାହା ଠିକ୍ ହୋଇଯିବ। ଅନ୍ୟପଟେ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଉକ୍ତ ନଳକୂପଟି ଏକ ଶୁଖିଲା ନଳକୂପ ହୋଇଥିବାରୁ ଏହା ପାଣି ଦେଉନାହିଁ ଏବଂ ଏହାର ପ୍ରତିକାର ସ୍ୱରୂପ ଅନ୍ୟତ୍ର ଏକ ନୂତନ ନଳକୂପ ଖନନ କରାଯିବ।
ବର୍ତ୍ତମାନର ଏହି ଅସହ୍ୟ ଗରମ ମଧ୍ୟରେ ପ୍ରଶାସନ କେବେ ନୂତନ ନଳକୂପ ଖନନ କରି ସ୍ଥାନୀୟ ଲୋକଙ୍କୁ ଜଳ ଯୋଗାଇ ଦେଉଛି, ନା ଏହି ନିରୀହ ଶ୍ରମିକ ପରିବାରଗୁଡ଼ିକ ଏମିତି ପାଣି ପାଇଁ ଡହକବିକଳ ହେଉଥିବେ, ତାହା ଦେଖିବାକୁ ବାକି ରହିଲା। ସ୍ଥାନୀୟ ଅଞ୍ଚଳରେ ତୁରନ୍ତ ପାନୀୟ ଜଳର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି।

Comments (0)
Add Comment