ବ୍ରହ୍ମପୁର,୧୮/୦୬(ପିପିଟି): ନବୀନ ପଟ୍ଟନାୟକଙ୍କ ସରକାରଙ୍କ ସମୟରେ ସବୁଠୁ ବଡ ଦୁର୍ନୀତି ଓ ବିଫଳତା ହେଉଛି ନକଲି ଶିକ୍ଷକ ନିଯୁକ୍ତି। ଦୀର୍ଘ ୨୩ ବର୍ଷର ସୁଶାସନ ଭିତରେ ଜାଲ୍ ସାର୍ଟିଫିକେଟ ନିଯୁକ୍ତି ଏକ ବଡ ଘୋଟଲା। ଶିକ୍ଷିତ ଯୁବକ ଓ ଯୁବତୀ ମାନେ ନିଯୁକ୍ତି ନପାଇ ବେକାର ହୋଇ ବସିଥିବା ବେଳେ ଜାଲ୍ ସାର୍ଟିଫିକେଟ ମଧ୍ଯମରେ ଅଯୋଗ୍ଯ ଚାକିରି ହାତେଇଛନ୍ତି। ଧର୍ମକୁ ଆଖିଠାର ଭଳି ସରକାର ଜାଲ ସାର୍ଟିଫିକେଟ ତଦନ୍ତ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସେ ନିର୍ଦ୍ଦେଶକୁ ତଳସ୍ତରର ମାନୁଛି କିଏ ? ଜାଲ୍ ସାର୍ଟିଫିକେଟ ତଦନ୍ତ କରିବା ପାଇଁ ସମୟ ସୀମା କଣ ?ଅଭିଯୋଗ ପରେ କେତେ ଦିନରେ ତଦନ୍ତ ସରିବ ? ତଦନ୍ତରେ ଅବହେଳା ଓ ସୁରକ୍ଷା ଦେଉଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କଣ ? ଅଭିଯୋଗ ପରେ ଚାକିରି ଛାଡିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ତଦନ୍ତ ହୋଇ ଥାନାରେ ମାମଲା ରୁଜ୍ଜୁ କାହିଁକି ହୋଇନାହିଁ ? ଏଭଳି ଅନେକ ପ୍ରଶ୍ନ ଉଠୁଛି। ଜାଲ୍ ସାର୍ଟିଫିକେଟ ରାକେଟ ବଲାଙ୍ଗୀର, ବ୍ରହ୍ମପୁର ଓ ଆସିକା ଥାନା ପକ୍ଷରୁ ମାଷ୍ଟରମାଇଣ୍ଡକୁ ଧରିଥିଲେ ମଧ୍ଯ ଏହି ରାକେଟ ପଛରେ କିଏ ତହା ଚିହ୍ନଟ ହୋଇ ପାରି ନାହିଁ। ସେମାନେ ବିକ୍ରି କରିଥିବା ସାର୍ଟିଫିକେଟ ନେଇ କେଉଁ ମାନେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି ସେ ତଦନ୍ତ ସରକାର ଓ ପ୍ରଶାସନ କରିବେ ନା ଭଗବାନ ଭରସାରେ ଛାଡିଦେବେ ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟରେ ନିଯୁକ୍ତି ବଡ ସ୍କାମ। ୨୦୧୯ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇସାରିଛି। ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ବିଇଓ, ଡିପିସି ଓ ଡିଇଓ କାର୍ଯ୍ଯାଳୟର ବରିଷ୍ଠ କର୍ମଚାରୀମାନେ ଆର୍ଥିକ କାରବାର କରୁଥିବା ନେଇ ସବୁଠି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବଦଳି ଆଇନ ଫଙ୍ଗୁ ପାଲିଟିଯାଇଛି। ଡିପିସି ଓ ଡିଇଓ କାର୍ଯ୍ଯାଳୟର କର୍ମଚାରୀମାନେ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି ଆସ୍ଥାନ ଜମାଇ ବସିଛନ୍ତି। କେତେକ ବିଇଓ ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ରହି ଘିଅ ମହୁ ଖାଇ ବସିଛନ୍ତି। ଡିଇଓ ଗଞ୍ଜାମ ଜିଲ୍ଲାର ବାସିନ୍ଦା ସେ ତଦନ୍ତ କରିବାକୁ ପଛଘୁଞ୍ଚା। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତିଗତ ସଚିବ ତଥା 5T ସଚିବ ଜାଣି ଅଜଣା ଭଳି ରହୁଛନ୍ତି। 5T ଅଧିନରେ ସ୍କୁଲ ରୂପାନ୍ତରୀକରଣ କରି ସ୍ମାର୍ଟ କରି ନକଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଶିକ୍ଷାଦାନ କଲେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହୋଇଯିବନି । ଏକଥା 5T ସଚିବ ଓ ଶିକ୍ଷା ସଚିବଙ୍କ ମଗଜରେ ପଶୁଛିକି ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଯେତେ ସ୍ବଛ ଶାସନ କଥା କହି ଢେଣ୍ଡୁରା ପିଟିଲେ ମଧ୍ଯ ଶିକ୍ଷା ବ୍ଯବସ୍ଥା ଭୁଷୁଡ଼ିଯାଇଛି। ଜାଲ୍ ସାର୍ଟିଫିକେଟରେ ନିଯୁକ୍ତି ଘଟଣା ବଡ ସ୍କାମ ହୋଇଥିଲେ ମଧ୍ଯ ବିରୋଧିଦଳ ମଧ୍ଯ ଅନ୍ଧକାର ମଧ୍ଯରେ। ଖାଲି ନିର୍ବାଚନ କିଭଳି ଲଢି ଜିତିବୁ ସମସ୍ତେ ସେଥିପ୍ରତି ଦୃଷ୍ଟି। ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଓ ବେକାର ଶିକ୍ଷିତ ଯୁବକ ଯୁବତୀଙ୍କ କଥା ବୁଝିବ କିଏ ? ମୁଖ୍ୟମନ୍ତ୍ରୀ ସବୁ ଜାଣୁଛନ୍ତି, ଆଇନ ତାବାଟରେ ଯିବ,ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ବରଦାସ୍ତ କରନ୍ତିନି,5T ସଚିବ ସବୁ ବୁଝୁଛନ୍ତି ଏକଥା ସବୁ ଗପଭଳି। ୨୦୧୯ ଠାରୁ ଗଞ୍ଜାମ ଜିଲ୍ଲାର ଜାଲ୍ ସାର୍ଟିଫିକେଟ ତଦନ୍ତ ପାଇଁ ତାଲିକା ଦିଆଯାଇଛି। ତଦନ୍ତ ସାରିବା ଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାରେ ଅସୁବିଧା କଣ ମୁଖ୍ୟମନ୍ତ୍ରୀ ଗଞ୍ଜାମବାସୀଙ୍କୁ କୁହନ୍ତୁ । ନଚେତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ତାଙ୍କର ସଚିବ ମଧ୍ଯ କହିପାରିବେ ବୋଲି ସାଧାରଣରେ ଦାବି ହେଉଛି।