ନବକାକଳି ସାହିତ୍ୟ ସଂସ୍କୃତି ଆଧ୍ୟାତ୍ମିକ ପତ୍ରିକାର ଓଡ଼ିଆ ନବବର୍ଷ ପାଳନ ।

ଜଗତସିଂହପୁର,୧୪/୦୪(ପିପିଟି): ଜଗତସିଂହପୁର ସଦର ବ୍ଲକ ମୃଦୁପୁର ପଞ୍ଚାୟତ କନ୍ତାର ଗ୍ରାମରୁ ପ୍ରକାଶ ପାଇ ଆସୁଥୁବା ନବକାକଳି ସାହିତ୍ୟ ସଂସ୍କୃତି ଆଧ୍ୟାତ୍ମିକ ପତ୍ରିକାର ଓଡ଼ିଆ ନବବର୍ଷ ପାଳନ ଅବସରରେ ତ୍ରିଂଶ ବିଷୁବ ମିଳନ, ରାଜ୍ୟ ସ୍ତରୀୟ କବି ସମ୍ମିଳନୀ,ସାରସ୍ଵତ ସଭା, ମାନପତ୍ର ସମ୍ବର୍ଦ୍ଧନା ସହିତ ନବକାକଳି ପତ୍ରିକାର ବିଷୁବ ସଂଖ୍ୟା ଏବଂ ଶ୍ରୀମତୀ ମନୋରମା ଦାଶଙ୍କ “ଫୁଲସବୁ ଫୁଟିଗଲା ପରେ” ତଥା ପ୍ରଭାତୀ ମିଶ୍ରଙ୍କ “ଦୀନ ଦୁଃଖହାରୀ ଚମ୍ପୂ” ପୁସ୍ତକର ଲୋକାର୍ପଣ କେଳି-କାଞ୍ଚନ-ରତ୍ନାକର ପାଠାଗାର ଆନୁକୂଲ୍ୟରେ ବଣମଲ୍ଲୀ ସାହିତ୍ୟ ସଂସଦ ସୌଜନ୍ୟରୁ ସିଦ୍ଧଳ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି । ପଣ୍ଡିତ ବାସବ କୁମାର ନନ୍ଦଙ୍କ ବେଦଧ୍ଵନିରେ ଅତିଥିଗଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ସ୍ଵାଗତ ଅଭିଭାଷଣ ଓ ସମ୍ପାଦକୀୟ ବିବରଣୀ ନବକାକଳିର ପରିଚାଳନା ସମ୍ପାଦିକା ଶ୍ରୀମତୀ ମନୋରମା ଦାଶ ପ୍ରଦାନ କରିଥିଲେ । ରୁଦ୍ର ପ୍ରସନ୍ନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ । ନବକାକଳିର ସମ୍ପାଦକ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ବିଶିଷ୍ଟ କବି ତଥା ପ୍ରାକ୍ତନ ସ୍ଵତନ୍ତ୍ର ଶାସନ ସଚିବ ଧନଞ୍ଜୟ ସ୍ଵାଇଁ ମୁଖ୍ୟ ଅତିଥିଭାବେ ସାହିତ୍ୟ ଉତ୍ତମ ମଣିଷ ତିଆରି କରେ ବୋଲି କହିଥିଲେ । ପ୍ରଫେସର ଡ. ନାରାୟଣ ପଣ୍ଡା ମୁଖ୍ୟବକ୍ତା ଭାବରେ ସାହିତ୍ୟ ପତ୍ରପତ୍ରିକା ନଥିଲେ ଆଜି ଓଡ଼ିଆ ସାହିତ୍ୟ ଋଦ୍ଧିମନ୍ତ ହୋଇପାରି ନଥାନ୍ତା ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ଭାବରେ ମହିଳା ଓ ଶିଶୁ ବିକାଶ ବିଭାଗର ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ କବି ଯୋଗେନ୍ଦ୍ର ନାୟକ ନବକାକଳି ପତ୍ରିକା ୩୦ ବର୍ଷ ଧରି ସାରସ୍ଵତ ଶ୍ରୀବୃଦ୍ଧିରେ ସହାୟକ ହୋଇ ବହୁ ଲେଖକ ପାଳକ ସୃଷ୍ଟିରେ ଅଗ୍ରଦୂତ ସାଜିଛି ବୋଲି ମତ ପ୍ରକାଶ କରିଥିଲେ । ଜଗତସିଂହପୁର ସାହିତ୍ୟ ପରିଷଦ ସମ୍ପାଦକ ଶ୍ରୀ ଉମାକାନ୍ତ ନାୟକ, ସାମ୍ବାଦିକ ଇଂ ସୌଦାଗର ବେହେରା, କଳିଙ୍ଗରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇ, ସ୍ତମ୍ଭକାର ବୈକୁଣ୍ଠ ନାଥ ମିଶ୍ର ବରେଣ୍ୟ ଅତିଥି ଭାବେ ଓଡ଼ିଆର ଅସ୍ମିତା, ସ୍ଵାଭିମାନ ଓ ଗରିମା କଥା ସହିତ ଓଡ଼ିଆ ନବବର୍ଷ ପାଳନରେ ନବକାକଳି ପରିବାରର ଭୂମିକା ଉପରେ ଆଲୋକପାତ କରିଥିଲେ । କବୟିତ୍ରୀ ବିଶ୍ଵମିତ୍ରା ମିଶ୍ରଙ୍କ ସଂଯୋଜନାରେ ୭୫ ଜଣ କବି ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ବିଶିଷ୍ଟ ସାରସ୍ଵତ ସାଧକ ଡ. ଭଗବାନ ବେହେରାଙ୍କୁ ମର୍ଯ୍ୟାଦାଜନକ ତ୍ରିଂଶ ନବକାକଳି ବିଷୁବ ସମ୍ମାନ, ଶଶିଭୂଷଣ ଦାଶଙ୍କୁ ଶିକ୍ଷକ-ଗୌରବ ସମ୍ମାନ, ପଣ୍ଡିତ ବୈଷ୍ଣବ ଚରଣ ଗ୍ରହାଚାର୍ଯ୍ୟଙ୍କୁ କବି-ଗୌରବ ସମ୍ମାନ, ଡା, ପ୍ରତାପରୁଦ୍ର ସ୍ଵାଇଁଙ୍କୁ କାବ୍ଯ-ଗୌରବ ସମ୍ମାନ, ତପନ କୁମାର ସ୍ଵାଇଁଙ୍କୁ ଶିଶୁ ସାହିତ୍ୟିକ ଗୌରବ ସମ୍ମାନ, ସବିତା ନାୟକଙ୍କୁ ସାହିତ୍ୟ ଶ୍ରୀ ସମ୍ମାନ,ସବ୍ୟସାଚୀ ତ୍ରିପାଠୀଙ୍କୁ କବି ଶ୍ରୀ ସମ୍ମାନ,କନକଲତା ମହାପାତ୍ରଙ୍କୁ କବି-ସୌରଭ ସମ୍ମାନ,ବିଜୟ କୁମାର ସ୍ଵାଇଁଙ୍କୁ ଶିକ୍ଷକ-ସୌରଭ ସମ୍ମାନ,ରାମଚନ୍ଦ୍ର ଦାଶଙ୍କୁ ସେବାଶ୍ରୀ ସମ୍ମାନ, ଲଳିତେନ୍ଦ୍ର ପଲାଉରୀଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ଏବଂ ପ୍ରତୀକ୍ଷା ମହାପାତ୍ରଙ୍କୁ ଶିଳ୍ପୀ ଗୌରଵ ସମ୍ମାନରେ ଅତିଥିଗଣ ଅଙ୍ଗବସ୍ତ୍ର, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ସୁଦର୍ଶନ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କଲା ପରେ ସଭାସାଙ୍ଗ ହୋଇଥିଲା । କାର୍ଯ୍ୟକ୍ରମରେ ମୋନାଲିସା ତ୍ରିପାଠୀ, ମୋନାଲିସା ମୁଦୁଲି, ସୀମା ବାରିକ, ମାତୃପ୍ରସାଦ ଶତ୍ରୁଜିତ,ପୁରୁଷୋତ୍ତମ ଦାସ, ପ୍ରିୟତମା ସାହୁ, ପରମାନନ୍ଦ ମିଶ୍ର ଏବଂ ଅନିଲ ଦାଶ ସହଯୋଗ କରିଥିଲେ ।

(ରିପୋର୍ଟ -ସୁକାନ୍ତ କୁମାର ମହାନ୍ତି ।)

Comments (0)
Add Comment