ଧୂମୂଛାଇ ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଶେଷ ; ଗୁରୁବାର ଭୋଟ୍ ଗଣତି।

ବେଲଗୁଣ୍ଠା,୨୩/୦୪(ପିପିଟି):ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଆଜି ଧୂମୂଛାଇ ପଂଚାୟତର ସମିତିସଭ୍ୟ ପାଇଁ ଉପନିର୍ବାଚନ ଶେଷ ହୋଇଛି । ଆଜି ସକାଳ ସାତ ଘଣ୍ଟା ସମୟରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ ପଂଚାୟତର ୧୫ଟି ବୁଥ୍ ରେ ଏହି ନିର୍ବାଚନ ଶେଷ ହେବା ପରେ କଡ଼ା ସୁରକ୍ଷା ବଳୟରେ ସମସ୍ତ ଭୋଟ୍ ବାକ୍ସକୁ ବେଲଗୁଣ୍ଠା ବ୍ଲକ୍ ରେ ଷ୍ଟ୍ରଙ୍ଗ୍ ରୁମରେ ସିଲ୍ କରି ରଖାଯାଇଛି । ପ୍ରବଳ ଖରା ସତ୍ତ୍ୱେ ଆଜି ଭୋଟ୍ ଦେବା ପାଇଁ ଲୋକେ ଉତ୍ସାହୀ ଥିଲେ I ପଂଚାୟତର ମୋଟ୍ ୫୪୨୯ ଜଣ ଭୋଟରଙ୍କ ମଧ୍ୟରୁ ୩୦୬୬ ଜଣ ଭୋଟରଙ୍କ ନିଜ ମତ ସାବ୍ୟସ୍ତ କରିଥିଲେ । ୫୬ ପ୍ରତିଶତରୁ ଉର୍ଦ୍ଧ୍ଵ ମତଦାନ ହୋଇଥିଲା I ଆସନ୍ତା କାଲି ସକାଳ ଆଠଟାରୁ ପାଞ୍ଚୋଟି ପର୍ଯ୍ୟାୟରେ ଭୋଟ୍ ଗଣତି ହେବ ବୋଲି ସୂଚନା ମିଳିଛି I ନିର୍ବାଚନରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଳେ ଏକ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ଦଶଜଣ ଅଫିସର୍ ମୁତୟନ ରହିଥିଲେ । ଭଞ୍ଜନଗର ଏ.ଏସ୍.ପି ରଞ୍ଜନ କୁମାର ଦେ, ବୁଗୁଡ଼ା ଥାନା ଅଧିକାରୀ ସୀତାଂଶୁ ଶେଖର ମାନ୍ଧାତା , ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରମୁଖ ବିଭିନ୍ନ ବୁଥ୍ ପରିଦର୍ଶନ କରି କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ । ତେବେ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହେବା ପରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ଏକ ଅପ୍ରୀତିକର ଘଟଣା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ସୂଚନା ପ୍ରକାରେ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ବେଣୀପଲ୍ଲୀ ସରପଞ୍ଚ ତଥା ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଦୁର୍ଗାମାଧବ ନାୟକ ଏବଂ ବଡ଼ବୋର୍ସିଂ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ଏସ୍ ରାମେଶ୍ଵର ପାତ୍ର କାର୍ ରେ କେବିରି ବ୍ରହ୍ମପୁରରୁ ଫେରୁଥିବା ବେଳେ ଗୋଶାଳା ଛକର ୨୦୦ ମିଟର ପୂର୍ବରୁ ଏକ ନିଛାଟିଆ ସ୍ଥାନରେ ବୋଲେରୋରେ ସାତ ଆଠ ଜଣ ଆସି କାର୍ କୁ ଅଟକାଇଥିଲେ । ଶ୍ରୀ ପାତ୍ର ଏବଂ ଶ୍ରୀ ନାୟକ ବାହାରକୁ ଆସିବା ପରେ ବୋଲେରୋରେ ଆସିଥିବା ଦୁର୍ବୃତ୍ତମାନେ ଉଭୟଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି ବେଲଗୁଣ୍ଠା ଥାନାରେ ଅଭିଯୋଗ ହୋଇଛି । ଉଭୟଙ୍କୁ ୩୦ ରୁ ୪୦ ପ୍ରହାର ବାଜିଥିବା ସେମାନେ ପ୍ରକାଶ କରିଛନ୍ତି । ଦୁର୍ଗାମାଧବଙ୍କ ମୁଣ୍ଡକୁ ଆକ୍ରମଣ କରାଯିବା ବେଳେ ସେ ହାତ ଦେଖାଇ ଦେବାରୁ ତାଙ୍କ ହାତରେ କ୍ଷତ ସୃଷ୍ଟି ହୋଇଛି । ଏନେଇ ଉଭୟ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ସେମାନଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ ଚିକିତ୍ସା କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠା ଥାନାରେ ବହୁ ବିଜେଡ଼ି କର୍ମୀ ରୁଣ୍ଡ ହୋଇଥିଲେ । ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରା ନଗଲେ ବିଜେଡ଼ି ତରଫରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Comments (0)
Add Comment