ଧୁଆମୁଳା ଓ ଅଧୁଆମୁଳା ସବୁସମାନ,ମାନ ନଥାଇ ମାନପତ୍ର।

ବୋଲଗଡ଼,୧୨/୦୩(ପିପିଟି) :ପ୍ରତ୍ୟେକଙ୍କ ନିକଟରେ ଇଶ୍ୱର କିଛି ନା କିଛି ପ୍ରତିଭା ଦେଇଛନ୍ତି। ସେଥିପାଇଁ କୁହାଯାଏ ଫୁଲର ବାସ୍ନାଥିଲେ ଆପେ ମହକିବ ଆଉ ପ୍ରତିଭାଥିଲେ ତୁଳସୀ ଦୁଇପୁତ୍ରରୁ ବାସିଲା ଭଳିବାସସିଉଠିବ।ଅତୀତରେ ପ୍ରତିଭା ସମ୍ପନ୍ନ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦେବାର ପରମ୍ପରା ମଧ୍ୟ ଥିଲା ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ପ୍ରତିଭାଧାରି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା । ଏପରିକି ନିଜର ଦକ୍ଷତା ଅନୁସାରେ କବି, ସାହିତ୍ୟକ, ଚିତ୍ରକର, କଳାକାର, ସଙ୍ଗୀତଜ୍ଞ, ନୃତ୍ୟ ବିଶାରଦ, ସାମ୍ବାଦିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା ।
ମାତ୍ର ଏବେ ସମାଜର ଢଙ୍ଗ ବଦଳିଗଲାଣି । ସବୁଠି ପ୍ରତିଷ୍ଠା ହାସଲ ପାଇଁ ଚାଲିଛି ଜୋରସୋର୍ ଉଦ୍ୟମ। ଯେମିତି ହେଉ ପଛେ ଉତ୍ତରୀୟ ସହିତ ମାନପତ୍ର ଟିଏ ମିଳୁ । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସକ ,କବି, ସାହିତ୍ୟକ,ଗାଳ୍ପିକ,ନାଟ୍ୟକାର, କଳାକାର,ସାମ୍ବାଦିକ,ଶିକ୍ଷକ,କ୍ରୀଡାବିତ୍ ଓ ଅଭିିନେତା ସମସ୍ତେ ଏଇ ଦୌଡରେ ସାମିଲ ହୋଇଛନ୍ତି । ଏହାକୁ ଲକ୍ଷ୍ୟ ରଖି ସଂପ୍ରତି ବିଭିନ୍ନ ପ୍ରକାରର ସାହିତ୍ୟ, ସାଂସ୍କୃତିକ, ସାମାଜିକ ଓ ଭିନ୍ନ ଭିନ୍ନ ସଂଗଠନ ସୃଷ୍ଟି ହେଲାଣି । ସୃଷ୍ଟି ହେବା ବି ଭଲ କଥା । କିନ୍ତୁ ଏଠି ସମ୍ବର୍ଦ୍ଧନା ଦେବାର ଅମାନିଆ ସୁନାମୀ ପରି ଗ୍ରାସ କରିଛି ସମସ୍ତଙ୍କୁ । ସମ୍ବର୍ଦ୍ଧନା ଦେବାପାଇଁ ସଂଗଠନ ଗୁଡିକ ମଧ୍ୟରେ ଯେତିକି ଆଗ୍ରହ, ସମ୍ବର୍ଦ୍ଧନା ନେଉଥିବା ବ୍ୟକ୍ତିର ମଧ୍ୟ ସେତିକି ଆଗ୍ରହ। ସତେ ଯେମିତି ସମ୍ବର୍ଦ୍ଧନା ଦେବା ଓ ନେବା ଏକ ନିଶା ପାଲଟି ଗଲାଣି । ଏପରିକି ଗୋଟିଏ ଗୋଟିଏ ସଭାରେ ପଚାଶ ଷାଠିଏ ଜଣ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ଘଟଣାମାନ ଦେଖିବାକୁ ମିଳୁଛି। ଆଜିକାଲି ସମାଜରେ ମାନପତ୍ର ଦେବା ଓ ପାଇବା ଖୁବ୍ ସହଜ ଓ ଶସ୍ତା ହୋଇଥିବାରୁ ଅନେକ ସଂସ୍ଥା ଯୋଗ୍ୟତା ନଥିବା କିଛି ବ୍ୟକ୍ତି ବିଶେଷଙ୍କୁ ମାନପତ୍ର ଦେଇ ମାନପତ୍ର ପରି ମୂଲ୍ୟବାନ ପଦାର୍ଥ ର ମୂଲ୍ୟ ନଷ୍ଟ କରୁଛନ୍ତି। ଏପରିକି ସମ୍ବର୍ଦ୍ଧିତ ହେଉଥିବା ସୁଯୋଗରୁ ବଞ୍ଚିତ ହେଉଥିବା ବେଳେ ପ୍ରତିଭା ନଥାଇ ଆଉ କେତେକ ସହଜରେ ସମ୍ବର୍ଦ୍ଧନା ପାଇବାରେ ସଫଳ ହେଉଛନ୍ତି। କେତେକାଂଶରେ ଅର୍ଥ ଦେଇ ସମ୍ବର୍ଦ୍ଧିତ ହେବାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ସମ୍ବର୍ଦ୍ଧନା ଏକ ନିର୍ଦ୍ଦିଷ୍ଟ ମାନ ରହିବା ଦରକାର। ତାହା ହେଲେ ଯୋଗ୍ୟତମ ବ୍ୟକ୍ତି ଯୋଗ୍ୟତା ଅନୁରୂପ ସମ୍ବର୍ଦ୍ଧନା ପାଇବା ସୁଯୋଗ ସୃଷ୍ଟି ହେବ ଏବଂ ପ୍ରତିଭାକୁ ଯଥାରିତି ସମ୍ମାନ ମିଳିବ। ତାନହେଲେ ଧୁଆମୁଳା ଓ ଅଧୂଆମୂଳା ସବୁ ସମାନ ହୋଇଯିବେ। ମାନପତ୍ର ଦେବାର ଏକ ନିର୍ଦ୍ଦିଷ୍ଟ ମାନ ରହୁ ଓ ଯୋଗ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବାର ମାନସିକତା ସୃଷ୍ଟି ହେଉ। ଯାହାକି ଉତ୍ତର ପିଢିପାଇଁ ଏକ ଆଦର୍ଶର ଭିତିଭୂମି ତିଆରି କରିବ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment