ମାଲକାନଗିରି,୧୦/୦୧(ପିପିଟି):ମାଲକାନଗିରି ଜିଲ୍ଲାରେ ଗତ ମାସ ୧୪ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟାର୍ଗେଟର ପାଖାପାଖି ୫୦ ପ୍ରତିଶତ ଧାନ ମଣ୍ଡିରେ କିଣା ସରିଥିବା ବେଳେ ଜିଲ୍ଲାରେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ରହିଛି। ଏବେ ବି ଅନେକ ଚାଷୀଙ୍କୁ ଟୋକେନ୍ ମିଳିନଥିବା ବେଳେ ଯେଉଁମାନଙ୍କୁ ମିଳିଛି ସେମାନଙ୍କର ଦାନ ଅମଳର ୨୦ ରୁ ୩୦ ପ୍ରତିଶତ ଅଟେ ।ଏପଟେ ମଣ୍ଡିରେ ଟାର୍ଗେଟ ସରି ସରି ଆସୁଥିବା ବେଳେ ଚାଷୀଙ୍କ ଧାନ ଘର ବାହାରେ ପଡି ରହିଛି। ଚାଷୀଙ୍କର ଏଭଳି ସ୍ଥିତି ଯୋଗୁଁ କିଛି ଚାଷୀ ଶାଗ ମାଛ ଦରରେ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ପରିସ୍ଥିତି ବାଧ୍ଯ କରୁଛି। ପ୍ରତ୍ୟେକ ଦିନ ଟ୍ରକ ବୋଝଇ ହୋଇ ଧାନ ଆନ୍ଧ୍ର ପ୍ରଦେଶକୁ ଚାଲାଣ ହେଉଛି।ଏପରିକି କାଲିମେଳା ଲ୍ୟାମ୍ପ ଅଧୀନରେ କ୍ରୟ କରାଯାଉଥିବା ମଣ୍ଡି ଗୁଡିକରେ ଦଲାଲ ମାନେ ଚାଷୀର ପରିଚୟ ଦେଇ ସକ୍ରିୟ ରହିଛନ୍ତି। ଏମାନେ ମଣ୍ଡିରେ ଧାନ ଆଣି ଚାଷୀଙ୍କ ବ୍ୟାଙ୍କ ପାସ ବୁକ୍ ଓ ଆଧାର କାର୍ଡର ଜେରକ୍ସ ନିଜ ପାଖରେ ପୂର୍ବରୁ ରଖି ଚାଷୀଙ୍କୁ ମଣ୍ଡିକୁ ଆଣି ଉକ୍ତ କାଗଜ ଧରାଇ ନିଜ ଧାନ ବିକ୍ରୀ କରୁଥିବା ଅଭିଯୋଗ ହେଉଛି । ମଣ୍ଡିଗୁଡିକରେ ଦଲାଲମାନେ ସକ୍ରିୟ ଥିବା ବିଷୟରେ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଜିଲ୍ଲା ପ୍ରଶାସନ ନିରବ ରହିବା ପଛରେ କଣ ରହସ୍ୟ ରହିଛି ତାହା ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି ।ଚାଷୀ ଚାଷ ସମୟରେ ବିଭିନ୍ନ ସ୍ଥାନରୁ ଋଣ କରି ଚାଷ କରିଥିବା ବେଳେ ଧାନଗୁଡିକର ଉଚିତ ମୂଲ୍ୟ ପାଉ ନଥିବା ଚିନ୍ତା ଜନକ ବିଷୟ। ଏ ସଂପର୍କରେ ଉପ ଜିଲ୍ଲାପାଳ କହିଛନ୍ତି ଯେ ଫେଜ୍ ୱାଇଜ୍ ଟୋକେନ ଗୁଡିକ ଆସୁଛି। ଏବଂ ସାଟେଲାଇଟ୍ ଓ ଡ୍ରୋନ୍ ସର୍ଭେରେ ଚାଷୀମାନଙ୍କର ନାମ ପଞ୍ଜୀକରଣ କରାଯାଉଛି। ଧୀରେ ଧୀରେ ସମସ୍ୟାର ସମାଧାନ ହେବ। କିନ୍ତୁ ସମାଧାନ କରିବା ଭିତରେ ଚାଷୀ ଶାଗ ମାଛ ଦରରେ ଧାନଗୁଡିକ ଦଲାଲ ହାତରେ ଟେକି ଦେଉଛି । ଚାଷୀଙ୍କ ନାମରେ ଆସୁଥିବା ଟୋକେନରେ ନିଜେ କିଣିଥିବା ଧାନକୁ ବିକ୍ରି କରୁଥିବା ଜଣାପଡିଛି। ଏଣେ ଯୋଗାଣ ବିଭାଗର ଭିତିରିଆ ସଲାସୁତରାରେ ଧାନ କିଣାବିକା ଚାଲିଥିବା ଅଭିଯୋଗ ହୋଇଛି।ବହୁ ଚାଷୀ ଆଜି ବି ନିଜ ଧାନ ବିକ୍ରି କରି ପାରୁ ନଥିବା ଜଣାପଡିଛି। ଯୋଗାଣ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏନେଇ ରାଜନୈତିକ ଦଳମାନେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡିଛି।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)