ଯାଜପୁର,୦୮/୦୬(ପିପିଟି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମହିମରା ପଞ୍ଚାୟତର ରମ୍ପେଇ ଗ୍ରାମରେ ଏବଂ ଜେନାପୁର ପଞ୍ଚାୟତର ଜେନାପୁର ଗ୍ରାମରେ ତା ୦୮.୦୬.୨୦୨୫ ରିଖ ଦିନ କୃଷକ ଓ କୃଷିଜୀବୀ ମହିଳା ମାନଙ୍କ ଉଦ୍ଦେଶ୍ୟରେ ଏକ ସଚେତନତା ଏବଂ ପ୍ରଶିକ୍ଷଣ ଶିବିର ବିକଶିତ କୃଷି ସଂକଳ୍ପ ଅଭିଯାନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ଗବେଷଣା କେନ୍ଦ୍ର ପରିଷଦର ସଙ୍ଗୀତ ଗାନ କରାଯିବା ସଙ୍ଗେ ସଙ୍ଗେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଅଭିଭାଷଣ ପରିବେଷଣ କରାଯାଇଥିଲା। ଏହି ଶିବିରରେ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ. ଲିପି ଦାସ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ପ୍ରୋତ୍ସାହନ ସମ୍ବନ୍ଧରେ ସୂଚନା ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ଯାଜପୁରର ବୈଜ୍ଞାନିକ ଡ. ବବିତା ମିଶ୍ର, ବିଜୟ କୁମାର ରାଉତରାୟ,ବ୍ଲକ୍ କୃଷି ଅଧିକାରୀ ସ୍ବରାଜ କୁମାର ବେହେରା, ସରକାରୀ କୃଷି ଅଧିକାରୀ ଆଶିଷ କୁମାର ବେହେରା, ନିୟନ୍ତ୍ରିତ ବଜାର କମିଟିର ଫସଲ ଗୁଣବତ୍ତା ବିଶ୍ଳେଷକ ବନଜା ସାହୁ ପ୍ରମୁଖ ଯୋଗଦେଇ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ଓ କୃଷି ଆନୁଷଙ୍ଗିକ ବିଷୟରେ ଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ବନ୍ଧରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଫସଲରେ ସମନ୍ୱିତ ରୋଗ ପୋକ ପରିଚାଳନା, ଅଦିନିଆ ପନିପରିବା ଚାଷ, ଶସ୍ୟ ଜାତୀୟ ଫସଲର ସମସ୍ୟା ଓ ତାହାର ସମାଧାନ, ନୂତନ କିସମ ସୁରକ୍ଷିତ ଗୃହରେ ଲାଭଜନକ ଚାଷ, ମୃତ୍ତିକା ପରୀକ୍ଷା, ଜୈବିକ ଚାଷ, ମତ୍ସ୍ୟ ଓ ପଶୁପାଳନ, ଛତୁ ଚାଷ, ଫୁଲ ଚାଷ, ଫସଲ ବିକ୍ରି ଆଦି ବିଷୟରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କୃଷି ରଥ ମାଧ୍ୟମରେ କୃଷକ ବନ୍ଧୁ ମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମିତି ସଭ୍ୟ ପବିତ୍ର କୁମାର ବେହେରା,ଗ୍ରାମ୍ୟ କୃଷି କର୍ମଚାରୀ ସ୍ୱାଗତିକା ଜେନା,ଚିନ୍ମୟୀ କୁମାରୀ ନାୟକ,ଅଚ୍ୟୁତାନନ୍ଦ ସେଠୀ, କୃଷି ଓଭରସିଅର ଜଦୁ ମାହାଲି, ସଞ୍ଜୟ ସାମଲ, ରାମଚନ୍ଦ୍ର ହାଁସଦା,ଏ.ଟି.ଏମ କୃପାସିନ୍ଧୁ ମହାରଣା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।