ବ୍ରହ୍ମପୁର,୨୩/୦୬(ପିପିଟି): ଗତକାଲି ତଥାକଥିତ ଗୋରକ୍ଷକ ନାଁରେ ବଜରଙ୍ଗ ଦଳ ଓ ବିଜେପି ସମର୍ଥକ ମାନଙ୍କ ଦ୍ଵାରା ଧରାକୋଟ ବ୍ଳକର ଖାରିଗୁମ୍ମା ଓ ପରେ ଜାହାଡା ଠାରେ ଦଳିତ ସମ୍ପ୍ରଦାୟର ଦୁଇ ଜଣ ଗରିବ ଲୋକଙ୍କ ଉପରେ ସଂଗଠିତ ଅମାନୁଷିକ ଅତ୍ୟାଚାର ଓ ଲୁଣ୍ଠନ ପରିପ୍ରେକ୍ଷୀରେ ଆଜି ସମ୍ପୃକ୍ତ ଦୁଇ ପିଡୀତଙ୍କ ଗାଁ, ସିଙ୍ଗିପୁର ଠାରେ ଗଞ୍ଜାମ ଜିଲ୍ଲା ଦଳିତ ମହାସଭାର ଏକ ଜରୁରୀ ସଭା ଅନୁଷ୍ଠିତ ହୋଇଥିଲା । ମହାସଭାର ଜିଲ୍ଲା ଆବାହକ ସଂଗ୍ରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଗତକାଲିର ଘଟଣାର ତୀବ୍ର ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାର ଦଶ ଦିନ ମଧ୍ୟରେ ଏପରିକି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁ ପ୍ରଚାରିତ ଆସିକା ଗସ୍ତର ପୂର୍ବଦିନ ଧରାକୋଟ ବ୍ଳକ୍ ଅଞ୍ଚଳରେ ଦଳିତମାନଙ୍କ ଉପରେ ଗୋ ସୁରକ୍ଷା ନାଁରେ ଘଟିଥିବା ବର୍ବରୋଚିତ ଘଟଣା ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପ୍ରମାଣିତ କରୁଛି ବୋଲି ମତ ପ୍ରକାଶ ପାଇଇଥିଲା । ବିଶେଷ କରି ବିଜେପି ସରକାର କ୍ଷମତାକୁ ଆସିବା ପରେ ସମାଜର ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ଉପରେ ତଥାକଥିତ ଗୋରକ୍ଷକମାନଙ୍କ ଆତଙ୍କରାଜ, ନିର୍ଯ୍ୟାତନା ଓ ବଳପୂର୍ବକ ଚାନ୍ଦା ଆଦାୟ ବହୁ ଗୁଣ ବୃଦ୍ଧି ପାଇଛି ବୋଲି କହିଥିଲେ । ଧରାକୋଟ ଘଟଣାର ଅଭିଯୁକ୍ତମାନେ ବହୁ ଦିନ ହେଲା ସେ ଅଞ୍ଚଳରେ ଗୋରକ୍ଷା ନାଁରେ ଆତଙ୍କରାଜ ଚଳାଇବା ସହ ଗାଈଗୋରୁ ନେବା ଆଣିବା କରୁଥିବା ଛୋଟ ବେପାରୀ ଏପରିକି ସାଧାରଣ ଚାଷୀମାନଙ୍କ ଉପରେ ବି ଅତ୍ୟାଚାର କରି ସେମାନଙ୍କ ଠାରୁ ବଳପୂର୍ବକ ଚାନ୍ଦା ଆଦାୟ କରୁଥିଲେ । ଏହା ସହ ପିଡୀତଙ୍କ ପ୍ରତି ଧରାକୋଟ ପୋଲିସର ସମ୍ଵେଦନହୀନତା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରିବା ନେଇ ଉଦବେଗ ପ୍ରକାଶ କରାଯାଇଥିଲା । ମହାସଭାର ନେତୃବୃନ୍ଦ ପୀଡିତ ବ୍ୟକ୍ତି ଓ ସେମାନଙ୍କ ପରିବାରର ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ନ୍ୟାୟ ମିଳିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ଉପରୋକ୍ତ ପ୍ରସଙ୍ଗରେ ଆସନ୍ତାକାଲି ଗଞ୍ଜାମ ପୋଲିସ ଏସପି, ଜିଲ୍ଲାପାଳ ଓ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ମହାସଭାର ଏକ ପ୍ରତିନିଧି ଦଳ ଭେଟିବାକୁ ସ୍ଥିର କରାଯାଇଥିଲା । ଆଜିର ଏହି ସଭାରେ ରାଜେଶ ସେନାପତି,ଶିବ ନାୟକ,ସନ୍ତୋଷ ନାୟକ, ପ୍ରତାପ କୁମାର ନାଏକ, ରାଜେନ୍ଦ୍ର ନାୟକ, ରୋହିତ ନାୟକ, ପ୍ରସନ୍ନ ନାୟକ ପ୍ରମୁଖଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଳକରୁ ମହାସଭାର ନେତୃବୃନ୍ଦ ଯୋଗ ଦେଇଥିଲେ ।