ବ୍ରହ୍ମପୁର,୦୫/୦୮(ପିପିଟି):ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ଲମ୍ବିବାରେ ଲାଗିଛି। କିନ୍ତୁ ଶିକ୍ଷାଧିକାରୀ ମାନେ ଏବଂ କିଛି କର୍ମଚାରୀ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରିବା ପାଇଁ ଚେଷ୍ଟା କରି ଆସୁଥିବା ନେଇ ମଧ୍ଯ ଅଭିଯୋଗ ଉଠୁଛି। ଅନେକ ବାହାର ରାଜ୍ୟର ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ଆସୁଛି। ଗତ କିଛିଦିନ ତଳେ ବ୍ରହ୍ମପୁର ପୁଲିସ ଏଭଳି ଏକ ଜାଲ୍ ସାର୍ଟିଫିକେଟ ରାକେଟ୍ ପର୍ଦ୍ଦାଫାସ କରିଥିଲା। ପୂର୍ବରୁ ଆସିକା ପୁଲିସ ମଧ୍ଯ ଏକ ଜାଲ୍ ସାର୍ଟିଫିକେଟ ରାକେଟ୍ ଧରିଥିଲା । ଏବେ ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳରୁ ବାହାର ରାଜ୍ୟର ୩୯ ଜଣ ସାର୍ଟିଫିକେଟ ଆଣି ଚାକିରି କରୁଥିବା ଜଣାପଡିଛି। ସେମାନଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବାକୁ ସୂଚନା ଅଧିକାର କର୍ମୀ ସମରଜିତ୍ ମହାନ୍ତି ଅଭିଯୋଗ ପତ୍ର ଦାଖଲ କରିଛନ୍ତି। ପ୍ରତ୍ୟେକ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ କରିବାକୁ ସେ ଜିଲ୍ଲା ଶିକ୍ଷାଧିକାରୀ, ମୁଖ୍ୟମନ୍ତ୍ରୀ,ଗଣ ଶିକ୍ଷା ବିଭାଗ ମନ୍ତ୍ରୀ,ଶିକ୍ଷା ସଚିବ,ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରେରଣ କରିଛନ୍ତି। ବର୍ତ୍ତମାନ ଜାଲ୍ ଶିକ୍ଷକଙ୍କ ତାଲିକା ୫୦୦ ରୁ ଉର୍ଦ୍ଧ୍ବ ହେଲାଣି। ତନ୍ମମଧ୍ଯରୁ ୯୬ ଜଣଙ୍କ ନାମରେ ଏତଲା ଦିଆଯାଇଥିବା ବେଳେ ୪୭ ଜଣ ଚାକିରି ଛାଡିଛନ୍ତି। ସମରଜିତ୍ ମହାନ୍ତି ଓ ଅନ୍ଯ ଅଭିଯୋଗ କ୍ରମରେ ଧରାକୋଟ ବ୍ଳକରୁ ପୂର୍ବରୁ ୧୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବର୍ତ୍ତମାନ ଜାଲ୍ ସାର୍ଟିଫିକେଟ ତଦନ୍ତ ସମୟରେ ଧରାପଡିଲେ ସମ୍ପୃକ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ସହିତ ଦରମା ବାବଦରେ ନେଇଥିବା ଅର୍ଥ ଆଦାୟ କରିବାକୁ ଶ୍ରୀ ମହାନ୍ତି ତାଙ୍କର ପିଟିସନ ରେ ଅନୁରୋଧ କରିଛନ୍ତି।