ବୋଲଗଡ଼,୧୦/୦୯(ପିପିଟି):ବୋଲଗଡ ବ୍ଳକ ଅନ୍ତର୍ଗତ ପାଟବନ୍ଧ ମା’ ବୁଢୀଦେଇ ସିଂହନାଦ ଡ୍ୟାମ ରୁ ପାଟବନ୍ଧ ମୌଜାରେ ଚାଷଜମି କୁ ଯାଇଥିବା କେନାଲ ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡିରହିଛି। ଦିର୍ଘଦିନ ଧରି କେନାଲ ଭିତର ଓ ଉଭୟ ପାର୍ଶ୍ବ ସଫେଇ କାର୍ଯ୍ୟ ହେଉ ନଥିବାରୁ ଅନେକ ସମୟରେ କେନାଲ ଭାଙ୍ଗି ରୁଜିଗଲାଣି। ଫଳରେ ଚାଷଜମିରେ ଠିକରେ ପାଣି ମାଡି ପାରୁନାହିଁ। କହିବାକୁ ଗଲେ କେନାଲ ଅଛି କିନ୍ତୁ କେନାଲରେ ପାଣି ଆସୁନାହିଁ ଯାହା କିଛି ଆସୁଛି କେନାଲରେ ମରାମତି ଅଭାବରୁ ଗର୍ତ୍ତ ସୃଷ୍ଟି ହୋଇ ପାଖରେ ଥିବା ନଇକୁ ଚାଲିଯାଉଛି। କେନାଲଟି ଦିର୍ଘ ବର୍ଷ ଧରି କଂକ୍ରିଟ ଢଳେଇ ହୋଇଥିଲା ଏବଂ ଉଭୟ ପାର୍ଶ୍ବରେ ହୁଡା ରେ ଅନାବନାକଣ୍ଟା ଗଛ ଓ ଘାସ ସଫେଇ କାର୍ଯ୍ୟ ହେଉନଥିବାରୁ କେନାଲରେ ଠିକ୍ ଭାବରେ ପାଣି ଆସୁନଥିବା କହିଛନ୍ତି ସ୍ଥାନୀୟ ଚାଷୀ। ଚାଷୀଙ୍କ କହିବା ଅନୁଯାୟୀ, ଧାନ ଜମି ଉଚ୍ଚରେ ରହିଥିବା ବେଳେ କେନାଲଟି ଧାନ ଜମିଠାରୁ ବହୁ ଖାଲୁଆ ହୋଇ ଖନନ ହୋଇଛି ଫଳରେ ଧାନ ଜମିକୁ ପାଣି ଯିବା ସମ୍ଭବ ନୁହେଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପାଖାପାଖି ୪୦ ବର୍ଷ ହେଲାଣି କେନାଲ ନିର୍ମାଣ ହୋଇଛି ସତ କିନ୍ତୁ ଚାଷୀ ଚାଷ ସମୟର ପାଣି ମୁନ୍ଦେ ପାଉନଥିବା ଅଭିଯୋଗ କରିଛନ୍ତି । କେବଳ ବର୍ଷା ଓ ଲଘୁଚାପ ବର୍ଷା ଉପରେ ନିର୍ଭର କରି ଧାନ ଚାଷ କରୁଥିବା କହିଛନ୍ତି ଚାଷୀ। ମରାମତି କି ସଫେଇ କାର୍ଯ୍ୟ କରାଯାଉ ନଥିବାରୁ ଚାଷୀ ମାନେ କେନାଲ ପାଣି ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ଚାଷୀ। ତେଣୁ ଗୁରୁତ୍ବ ସହକାରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଚାଷୀ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।