ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ପ୍ରସ୍ତୁତି ବୈଠକ ।

ମାଲକାନଗିରି,୨୩/୧୦(ପିପିଟି): ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଅକ୍ଟୋବର ୨୬ ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ସାଧୁତାରୁ ସମୃଦ୍ଧି ବିଷୟବସ୍ତୁକୁ ନେଇ ଜିଲ୍ଲାବ୍ୟାପୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହେବ। ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି ସଚ୍ଚୋଟତା ଏବଂ ପାରଦର୍ଶିତା ହେଉଛି ପ୍ରଶାସନର ମୁଖ୍ୟ ଆଧାର। ସରକାରୀ ସେବାକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବା ସହ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ନିଷ୍ଠାର ସହ କାର୍ଯ୍ୟ କରିବା ଆବଶ୍ୟକ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୭ ତାରିଖ ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଧାସଳଖ ସଦ୍ଭାବନା ଓ ନିଷ୍ଠା ଶପଥ ପାଠ କରାଇବେ। ଏଥିପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଭିସି ହଲ୍ ଏବଂ ସମସ୍ତ ବ୍ଲକ ଭିଡିଓ କନଫରେନ୍ସ ହଲରେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ଶପଥ ଗ୍ରହଣ କରିବେ।
ଏତଦ୍‌ବ୍ୟତୀତ, ଆସନ୍ତା ଅକ୍ଟୋବର ୩୧ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ସଭା ଅନୁଷ୍ଠିତ ହେବ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ, ତର୍କ ଏବଂ କାର୍ଟୁନ୍-ସହିତ-କ୍ୟାପସନ୍ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯିବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment