ପିପିଲି,୧୯/୦୭: ମର୍ଣ୍ଣିଂ ୱାକ୍ ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନୂଆଶାସନ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଂପାଦକ ସୁଶୀଲ କୁମାର ଷଡଙ୍ଗୀଙ୍କ ପରିବାରକୁ ଓମଫେଡ ଅନୁବନ୍ଧିତ ସଂପାଦକ ସଂଘ, ପୁମୁଲ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସଂଘର ସଭାପତି ଜନ୍ମେଜୟ ଜେନାଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ସ୍ୱର୍ଗତ ସୁଶୀଲଙ୍କ ନୂଆଶାସନ ଗ୍ରାମ ଦକ୍ଷିଣସାହି ସ୍ଥିତ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଯୁବନେତା ସୌମ୍ୟକାନ୍ତ ଦାଶଙ୍କ ଉପସ୍ଥିତିରେ ତାଙ୍କ ପରିବାରକୁ ୨୨ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ । ଏହି ଅବସରରେ ମାଟିଆପଡା ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଠାରେ ସ୍ୱର୍ଗତ ଷଡଙ୍ଗୀଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଓମଫେଡ ବି.ଓ.ଡି ତୋଫାନ ମଲ୍ଲିକ, ସଂଘର ପୂର୍ଣ୍ଣଚନ୍ଦ୍ର ବାରିକ, ଭାଗିରଥୀ ନାୟକ, ସନ୍ତୋଷ ଦାସ, ପ୍ରଶାନ୍ତ ସାମନ୍ତରାୟ, ଅରୁଣ ବାରିକ, ମାନସ କୁମାର ଟଙ୍ଗ, ନାରାୟଣ ସେନାପତି, ଶୁଭଶ୍ରୀ ରାଉତ, ଜେସୋମନାଥ ମାଝୀ, ଅଜୟ ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଠାରେ ସୂଚନା ଥାଉକି, ଗତ ୧୩ ତାରିଖ ସକାଳେ ସୁଶୀଲ ମର୍ଣ୍ଣଂ ୱାକ୍ କରୁଥିବା ବେଳେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ନୂଆଶାସନ ଗ୍ରାମ୍ୟଛକ ନିକଟ ପେଟ୍ରୋଲ ଟାଙ୍କି ସମ୍ମୁଖରେ ପଛରୁ ଏକ ହାଇଡ୍ରା ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।