ଅମର୍ଦ୍ଦାରୋଡ଼,୨୬।୧୦: ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ସାନ ଅସ୍ତି ଓ ନାବରା ପଞ୍ଚାୟତ ପାରକଙ୍କୁଡ଼ି ଗ୍ରାମରେ ଗୋଟିଏ ପାଗଳ ମାଙ୍କଡ ଆକ୍ରମଣରେ ନଅରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁସାରେ ଆଜକୁ ଦୁଇ ସପ୍ତାହ ଧରି ଏକ ପାଗଳ ମାଙ୍କଡ଼ ଘୁରିବୁଲି ସାଧାରଣ ଲୋକଙ୍କୁ କାମୁଡି ଲହୁ ଲୁହାଣ କରୁଥିବା ଦେଖିବାକୁ ମିଳିଛି। ଫଳରେ ମାଙ୍କଡ ଭୟରେ ଲୋକେ ଦିନରେ ମଧ୍ୟ କବାଟ କିଳି ରହୁଥିବା ବେଳେ ଛୋଟ ପିଲାଙ୍କୁ ପାଠ ପଢିବା ପାଇଁ ଘରୁ ବାହାରକୁ ଛାଡୁ ନଥିବା ଦେଖିବାକୁ ମିଳିଛି । ଉକ୍ତ ମାଙ୍କଡ଼ଟି ଗତ ୨୪ ତାରିଖ ମଧ୍ୟାହ୍ନରେ ସାନ ଅସ୍ତି ଗ୍ରାମର ଅଳକା ଦାସ(୩୨)ଙ୍କ ଡାହାଣ ହାତକୁ କାମୁଡ଼ି ଝୁଣି ପକାଇଥିଲା। ସେହିଦିନ ସନ୍ଧ୍ୟାରେ ବେଜେନ୍ଦ୍ର ମଣ୍ଡଳଙ୍କ ଡ଼ାହଣ ହାତର ପିଠିପାରିକୁ ମଧ୍ୟ କ୍ଷତାକ୍ତ କରିଥିଲା। ତହିଁ ପରଦିନ ମାଙ୍କଡ଼ଟି ପୁଷ୍ପିତା ଦାସ ନାମ୍ନୀ ଛାତ୍ରୀଙ୍କର ସାର୍ଟକୁ ଚିରି ପକାଇଥିଲା। ସେହିଭଳି ପାରକଙ୍କୁଡ଼ି ଗ୍ରାମର ତ୍ରିଲୋଚନ ଗିରି ସକାଳୁ ଘର ବାହାରେ ଦାନ୍ତ ଘସୁଥିବା ସମୟରେ ତାଙ୍କର ଡ଼ାହାଣ ଜଙ୍ଘକୁ ଏବଂ ଘନଶ୍ଯାମ ଗିରିଙ୍କ ପିଚା ଓ ପିଠିକୁ କାମୁଡ଼ି ଝୁଣି ପକାଇଥିଲା। ଅନୁରୂପ ଭାବେ ଗ୍ରାମର ଯମୁନାମଣି ନନ୍ଦୀ, ପରମାନନ୍ଦ ଗିରି,ସମ୍ପୁଡ଼ି ରାଉତ ପ୍ରମୁଖ ଆହତ ହୋଇଥିଲେ। ତେବେ ଆଜି ପୂର୍ବାହ୍ନରେ ମାଙ୍ଗଡ଼ଟି ସୁଇଟି ଜେନାଙ୍କ ମୁହଁକୁ କାମୁଡିଥିବା ବେଳେ ସନ୍ଧ୍ୟାରେ ବରେନ୍ଦ୍ର ମହାନ୍ତିଙ୍କ ଡ଼ାହାଣ ଗୋଡ଼ ଓ ପିଠିକୁ ଆମ୍ପୁଡି ଲହୁଲୁହାଣ କରିଥିଲା।ଗ୍ରାମବାସୀ ତାଙ୍କୁ ତୁରନ୍ତ ସିଂଲା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ତେବେ ଦୁଇ ସପ୍ତାହ ଧରି ମାଙ୍କଡ଼ର ଉପଦ୍ରବରେ ଅତିଷ୍ଠ ହୋଇ ତାକୁ କାବୁକରିବା ପାଇଁ ଗ୍ରାମବାସୀ ଡ଼ିଏଫଓ ଖୁସବନ୍ତ ସିଂ,ରେଞ୍ଜର ଜୟଶ୍ରୀ ମୁର୍ମୁ ଏବଂ ଜିଲ୍ଲପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରିଛନ୍ତି ।ମାଙ୍କଡ ଆକ୍ରମଣ ପାଇଁ ଏହି ସବୁ ଗ୍ରାମରେ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଥିବା ବେଳେ ତୁରନ୍ତ ପାଗଳ ମାଙ୍କଡକୁ ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖୁବଶୀଘ୍ର ଟ୍ରାଙ୍କୁଲାଇଜ ଦଳକୁ ଡ଼କାଇ ଉକ୍ତ ମାଙ୍କଡ଼ଟିକୁ କାବୁ କରିଯିବା ନେଇ ରେଞ୍ଜର ଶ୍ରୀମତି ମୁର୍ମୁ ସୂଚନା ଦେଇଛନ୍ତି।