ବ୍ରହ୍ମପୁର,୨୬/୧୧(ପିପିଟି); ବ୍ରହ୍ମପୁର ପୁଲିସ ଦୁଇ କୁଖ୍ଯାତ ଲୁଟେରାକୁ ଧରିବାରେ ସକ୍ଷମ ହୋଇଛି । ଏହି ଲୁଟେରାଙ୍କ ନାମରେ ବିଏନପୁର, ସଦର ଥାନା,ଗୋଷାଣୀ ନୂଆଗାଁ ଓ ଗୋପାଳପୁର ଥାନା ଅଞ୍ଚଳରେ ୧୫ ଟି ମାମଲାରେ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି । ପୁଲିସ ଧରିଥିବା ଦୁଇ ଲୁଟେରା ହେଲେ ସନ୍ତୋଷ ସାହୁ ଓ ଦୀପକ ମହାପାତ୍ର । ଗତ ମାସ ୨୩ ତାରିଖ ବିଳମ୍ବିତ ରାତିରେ ଏକ ସୁନା ଦୋକାନରୁ ଏହି ଦୁଇ ଦୁର୍ବୃତ୍ତ ଅଳଙ୍କାର ଲୁଟି ନେଇଥିଲେ । ଲୁଟ୍ ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଥିଲା । ଟିମରେ ଥିଲେ ସଦର ଥାନା,ବଡବଜାର ଓ ଟାଉନ ଥାନା ଅଧିକାରୀ ସମେତ ଅନ୍ୟ ଅଧିକାରୀ । ଶେଷରେ ପୁଲିସ ଧରିଥିଲା ଏହି ଦୁଇ ଲୁଟେରାଙ୍କୁ ।ପୁଲିସ ସେମାନଙ୍କ ଠାରୁ ୫୪୦ ଗ୍ରାମ ସୁନା ଅଳଙ୍କାର,୧୦୦ ଗ୍ରାମ ରୂପା ଅଳଙ୍କାର,୨୩ ହଜାର ଟଙ୍କା,ଗୋଟିଏ କାର,ତିନୋଟି ମୋଟର ସାଇକେଲ, ଲାପଟପ,କ୍ଯାମେରା,ଟିଭି ସମେତ ଚୋରି ସମୟରେ ବ୍ଯବହୃତ ସାମଗ୍ରୀ ସବୁ ଜବତ କରାଯାଇଛି । ଏହି ଲୁଟେରା ମାନଙ୍କ ଠାରୁ ଅଳଙ୍କାର ରଖିବା ଘଟଣାରେ ଶିବଶଙ୍କର ସାହୁ,ଏ.ମନୋଜ କୁମାର ସେନାପତି ଓ ରବିନ୍ଦ୍ର କୁମାର ସାହୁଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ କୋର୍ଟ ଚାଲାଣ ପରେ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଏସପି ପିନାକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।