ଦୁଇଦିନ ହେଲା ବେଲଗୁଣ୍ଠାରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ; ଜନଜୀବନ ଅସ୍ତବ୍ଯସ୍ତ ।

ବେଲଗୁଣ୍ଠା,୧୪/୦୫(ପିପିଟି); ଗ୍ରୀଷ୍ମଋତୁରେ ବିଦ୍ୟୁତ୍ କାଟର ଯନ୍ତ୍ରଣା କୌଣସି ମୃତ୍ୟୁ ଯନ୍ତ୍ରଣା ଠାରୁ ମଧ୍ଯ କମ୍ ନୁହେଁ । ଏହିଭଳି ପରିସ୍ଥିତିରେ ଯଦି କୌଣସି ସହରାଞ୍ଚଳରେ ଦୁଇ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରୁହେ ତେବେ ସହରବାସୀଙ୍କ ଅବସ୍ଥା ଯେ କେତେ ଶୋଚନୀୟ ହୋଇପଡେ ତାହା ଜଣେ ଭୁକ୍ତଭୋଗୀ ହିଁ କହିପାରିବ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ସହରରେ । ସୂଚନା ପ୍ରକାରେ ଗୁରୁବାର ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବରେ କୂଶପଲ୍ଲୀଠାରେ ଗୋଟିଏ ବିଦ୍ୟୁତ୍ ଖୁଣ୍ଟ ଟଳି ପଡ଼ିବାରୁ ସହରର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । କିନ୍ତୁ ଏହାର ଦାୟିତ୍ୱ ନେଇଥିବା ଏକ ଠିକା ସଂସ୍ଥା ଠିକ୍ ସମୟରେ ଖୁଣ୍ଟଟିକୁ ନ ସଜାଡ଼ିବାରୁ ଦୁଇଦିନ ଧରି ବେଲଗୁଣ୍ଠା ସହର ଅନ୍ଧକାର ଭିତରେ ରହିଛି । ବେଲଗୁଣ୍ଠା ସହରରେ ଏନଏସି କାର୍ଯ୍ୟାଳୟ,ବ୍ଲକ କାର୍ଯ୍ୟାଳୟ , ତହସିଲ୍ କାର୍ଯ୍ୟାଳୟ, ଅଗ୍ନିଶମ କାର୍ଯ୍ୟାଳୟ,ପାଞ୍ଚଟି ବ୍ୟାଙ୍କ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଥିବା ବେଳେ ଦୁଇ ଧରି ବିଦ୍ୟୁତ୍ ସଂଯୋଗ ଅଭାବରେ ଅନୁଷ୍ଠାନ ଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଏକ ରକମ ବନ୍ଦ ହୋଇଯାଇଛି । ଏପରିକି ବିଦ୍ୟୁତ୍ ଅଭାବରୁ ସହରର ଜଳ ଯୋଗାଣ ବନ୍ଦ ହୋଇଯାଇଥିବା ବେଳେ ଲୋକେ ବଜାରରେ ପାଣି ବୋତଲ କିଣିବା ପାଇଁ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା । ଏପଟେ ଗ୍ରୀଷ୍ମଋତୁ ହୋଇଥିବାରୁ ଘର ମାନଙ୍କରେ ପଙ୍ଖା, ଏସି, କୁଲର୍ ପ୍ରମୁଖ ବନ୍ଦ ହୋଇପଡିଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଛୋଟ ପିଲା ଏବଂ ବୁଢାବୁଢିଙ୍କ କଷ୍ଟ ବଢ଼ିଯାଇଛି । ଏପଟେ କରୋନା ମହାମାରୀ ସମୟରେ ସହରର ବହୁ ବ୍ୟକ୍ତି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ମୋବାଇଲ୍ ରେ ଚାର୍ଜ ନଥିବାରୁ ସହରବାସୀ ସେମାନଙ୍କ ସମ୍ପର୍କୀୟଙ୍କ ସମ୍ପର୍କରେ ସୂଚନା ନପାଇ ଭୟ ଏବଂ ଆଶଙ୍କା ଭିତରେ ରହିଛନ୍ତି । ପୁଣି ଅନ୍ଧକାରର ସୁଯୋଗ ନେଇ କୌଣସି ଅସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏପରି ପରିସ୍ଥିତିରେ ବିଦ୍ୟୁତ୍ ବିଭାଗ ନାଭିରେ ତେଲ ପକାଇ ଶୋଇ ଯିବାକୁ ସହର ବାସୀ ତୀବ୍ର ସମାଲୋଚନା କରିବା ସହିତ ଖୁବ ଶୀଘ୍ର ବିଦ୍ୟୁତ୍ ବ୍ୟବସ୍ଥା ସଜାଡ଼ିବାକୁ ଦାବି କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment