***ଦୁଃଖି ଶ୍ୟାମ ନାମ***

***ଦୁଃଖି ଶ୍ୟାମ ନାମ***

ଦୁଃଖି ଶ୍ୟାମ ନାମ ବହିଣ ଆପଣ
କେଉଁ ଦୁଃଖୀ ଦୁଃଖ ନାଶିଲ…..
ପତିତ ପାବନ ବାନା ଉଡାଇଣ
କେଉଁ ପତିତକୁ ତାରିଲ….
ଆହେ ଜନାର୍ଦ୍ଦନ….
ତୁମେ ଲଗାଇଛ ଭାବ ଅକାରଣ….!!
ତୁମ୍ଭେ ରହିଅଛ ବଡ ଦେଉଳରେ
ଷାଠିଏ ପଉଟି ଖାଇ….
ପର୍ଣ୍ଣ କୁଟୀର ରେ ନିବାସ ମୋହର
ଅନ୍ନ ଜଳ ନ ମିଳଇ…..
ଆହେ କୃପାସିନ୍ଧୁ….
ମୋ ଦିନ ନସରେ କାନ୍ଦୁ କାନ୍ଦୁ…..!!
ପ୍ରତି ଦିନ ହୁଅ ଆଭୂଷଣ ପ୍ରଭୁ
କେତେ ସ୍ବର୍ଣ୍ଣ ଅଳଙ୍କାରେ…
ପୀତବାସ ନାନା କୁସୁମେ ସୁବାସ
ଚନ୍ଦନ କର୍ପୂର ଶ୍ରୀଅଙ୍ଗରେ….
ଆହେ ଚକାଡୋଳା….
ଜୀର୍ଣ୍ଣ ବସନେ ମୋ ଦିନ ଗଲା….!!
ଛତିଶ ନିଯୋଗ ସେବାୟତ ଧରି
ସେବା ପାଅ ପ୍ରତି କ୍ଷଣେ…..
କିଏ ଡାକୁ ଅଛି ମଣିମା ମଣିମା
ଆଜ୍ଞା କର ସେବା ପଣେ….
ଆହେ ମହାବାହୁ….
ସହେ ଅରକ୍ଷିତ କଷ୍ଟ ଦାଉ….!!
ମୋ ଭଳି ପତିତ ସଂସାରେ କେ ଅଛି
ସବୁଥିରେ ହୀନିମାନ….
ନାହିଁ ଧନ ଜନ ନାହିଁ ସନମାନ
ବୃଥା ମୋ ମାନବ ଜନ୍ମ….
ଆହେ ଦୟାମୟ…..
କି ହେବ ଜୀବନ କରି ଥୟ….!!
କେଉଁ ଅପରାଧେ ଦଣ୍ଡ ଦେଉଅଛ
କି ଦୋଷ କରିଲି ମୁହିଁ…..
ସତ୍ଯ ଧର୍ମ ମାର୍ଗେ ନିତି ଗମୁଅଛି
ତୁମ ଗୁଣ ଗାଥା ଗାଇ….
ଆହେ ଦୟାନିଧି….
ଘାଣ୍ଟୁଅଛି ପିଣ୍ଡେ ନାନା ବ୍ୟାଧି….!!
ମାରିବାକୁ ଯଦି ଚାହୁଁଅଛ ପ୍ରଭୁ
ସଂସାରୁ କର ତାରଣ….
ଏ ଜୀବନେ ଯଦି ସୁଖ ତିଳେ ନାହିଁ
ଜୀଇଁବାର ଅକାରଣ…..
ଆହେ ଲକ୍ଷ୍ମୀ ପତି…..
କେଶବକୁ ଦିଅ ଗତି ମୁକ୍ତି….!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Comments (0)
Add Comment