ଦିଲ୍ଲୀରେ ସଂଘର୍ଷରତ କୃଷକମାନଙ୍କୁ ସଂହତି ଜଣାଇ ଭୁବନେଶ୍ବରରେ ପ୍ରତିବାଦ ଏବଂ ସପ୍ତାହ ବ୍ୟାପୀ ଆନ୍ଦୋଳନ କାର୍ଯ୍ୟକ୍ରମ ଘୋଷଣା ।

ଭୁବନେଶ୍ୱର,ତା ୦୩/୧୨: ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଆହ୍ୱାନରେ ବିଜେପି ନେତୃତ୍ୱରେ ପରିଚାଳିତ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ କୃଷକର ସର୍ବନାଶକାରୀ ଦୁଇଟି କୃଷି ଆଇନ୍ ଓ ଜନବିରୋଧୀ ବିଦ୍ୟୁତ୍ ଆଇନ୍ ସଂପୂର୍ଣ୍ଣ ରଦ୍ଦ କରିବା ଦାବିରେ ଦିଲ୍ଲୀ ଚଲୋ- କୃଷକ ଆନ୍ଦୋଳନ ପ୍ରତି ସମର୍ଥନ ତଥା ସଂହତି ଜଣାଇ ଆଜି ରାଜ୍ୟର ରାଜଧାନୀ ଭୂବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପ୍ରତିବାଦ ସତ୍ୟାଗ୍ରହ ପାଳିତ ହୋଇଯାଇଛି। କୃଷକ ସାଥି -ଆଗେ ବଢୋ, ହାମ୍ ତୁମ୍ ହାରା ସାଥ୍ ହେ, ଜନବିରୋଧୀ କୃଷି ଆଇନ୍ ରଦ୍ଦ କର , କୃଷକ ଉପରେ ଦମନ ଲୀଳା ବନ୍ଦ କର, କୃଷକକୁ ଫସଲର ଉପଯୁକ୍ତ ମୂଲ୍ୟ ଦିଅ, କୃଷକ ସହିତ ବିଶ୍ୱାସଘାତକତା ଚଳିବ ନାହିଁ ଇତ୍ୟାଦି ସ୍ଲୋଗାନ ଦେଇ ପ୍ରତିବାଦକାରୀ ମାନେ ମାଷ୍ଟର କ୍ୟାଣ୍ଟିନ୍ ଛକରୁ ମହାତ୍ମାଗାନ୍ଧୀ ମାର୍ଗ ଆଡକୁ ଅଗ୍ରସର ହେଲାବେଳେ ଲୋୟର ପି.ଏମ୍.ଜି ଛକରେ ପ୍ରତିବାଦକାରୀ ଓ ପୋଲିସ ମଧ୍ୟରେ ସାମାନ୍ୟ ବଚସା ଓ ଧସ୍ତାଧସ୍ତି ହୋଇଥିଲା । ସୁରେଶ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଅଖିଳ ଭାରତ କିସାନ ସଭାର ରାଜ୍ୟ ସଭାପତି ଶଶୀ ଭୂଷଣ ସ୍ୱାଇଁ, ଓଡିଶା କୃଷକ ସଭାର ଜଗନ୍ନାଥ ମିଶ୍ର, ଅଖିଳ ଭାରତ କିଶାନ୍ ମହାସଭାର ଅଶୋକ ପ୍ରଧାନ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଅଖିଳ ଭାରତ କ୍ଷେତ୍ ମଜଦୂର୍ କିଶାନ୍ ସଭାର ଶ୍ରୀକାନ୍ତ ମହାନ୍ତି, ଅଖିଳ ଭାରତ କିଶାନ୍ ମଜଦୂର୍ ସଭାର ଭାଲଚନ୍ଦ୍ର ଷଢ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ରବି ଦାସ, ଇନସାଫ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ଅଗ୍ରଗାମୀ କିଶାନ୍ ସଭାର ଉପଦେଷ୍ଟା ଜ୍ୟୋତି ରଞ୍ଜନ ମହାପାତ୍ର, କିଶାନ୍ ସଭାର କ୍ଷୀରୋଦ ସିଂହଦେଓ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ ସରକାରଙ୍କ ଜନବିରୋଧୀ ନୀତିର ପର୍ଦ୍ଦାଫାଶ କରିଥିଲେ ଓ କୃଷକ ଆନ୍ଦୋଳନକୁ ଆହୁରି ଐକ୍ୟବଦ୍ଧ ଓ ସଂଗଠିତ କରିବା ପାଇଁ ଆହ୍ବାନ ଦେଇଥିଲେ। ପ୍ରତିବାଦ କାର୍ଯ୍ୟକ୍ରମ ପରେ ସମସ୍ତ କୃଷକ ସଂଗଠନର ନେତୃବୃନ୍ଦ ନେତାଜୀ ଭବନ (ଫରୱାର୍ଡ ବ୍ଲକ ରାଜ୍ୟ କାର୍ଯ୍ୟାଳୟ) ପରିସରରେ ଏକତ୍ର ହୋଇ ଆଗାମୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଚାର ଆଲୋଚନା କରିଥିଲେ । ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ ଆସନ୍ତା ୫ ଡ଼ିସେମ୍ବରରେ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏବଂ କୃଷି କ୍ଷେତ୍ରକୁ ନିର୍ଲଜ ଭାବେ କର୍ପୋରେଟ୍ ହାତରେ ଟେକି ଦେବା ପ୍ରତିବାଦରେ ନରେନ୍ଦ୍ର ମୋଦି ନେତୃତାଧିନ ସରକାର, ଆମ୍ବାନୀ, ଆଦାନୀ ଭଳି କର୍ପୋରେଟ୍ ମାନଙ୍କର କୂଶପୁତ୍ତଳିକା ଦାହ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେହିପରି ବିଶ୍ୱ ମାନବିକ ଅଧିକାର ଦିବସ-୧୦ ଡିସେମ୍ବରରେ ବ୍ରହ୍ମପୁର ଓ ସମ୍ବଲପୁର ରାଜସ୍ୱ ଡିଭିଜନ କାର୍ଯ୍ୟାଳୟ ସହିତ ଭୁବନେଶ୍ୱର ରେ ମଧ୍ୟ ମିଳିତ ପ୍ରତିବାଦ ଧାରଣା ଆୟୋଜନ କରାଯିବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାର କିପରି ଜନବିରୋଧୀ ଆଇନ୍ ଓ ନିଷ୍ପତ୍ତି ଗ୍ରହଣ କରି କୃଷକ ଓ ଶ୍ରମିକଙ୍କ ସର୍ବନାଶ କରିବାକୁ ଯାଉଛନ୍ତି, ସେ ସଂପର୍କରେ ପ୍ରଚାର, ଅଭିଯାନ ଓ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି ଓ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସମସ୍ତ ବର୍ଗର ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Comments (0)
Add Comment