ମାଲକାନଗିରି ,୨୩/୦୭(ପିପିଟି):ଦିଲ୍ଲୀରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ସହ ପୋଲିସର ଦୁର୍ବ୍ୟବହାର ଓ ଆକ୍ରମଣକୁ ବିରୋଧ କରି ମାଲକାନଗିରି ଜିଲ୍ଲା କଂଗ୍ରେସ ପକ୍ଷରୁ ଦୃଢ଼ ନିନ୍ଦା ଓ ପ୍ରତିବାଦ କରାଯାଇଛି।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତ ଜି. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ , କେନ୍ଦ୍ର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।
ଦିଲ୍ଲୀରେ ପେପର ଲିକ୍ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ର୍ୟାଲି ଓ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଦ୍ୱାରା ନିର୍ଦ୍ଦୟ ଭାବେ ଆକ୍ରମଣ କରାଯାଇଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଦୁର୍ବ୍ୟବହାର କରାଯାଇଛି, ଯାହା ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି କୁଠାରାଘାତ। କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ନିର୍ଦ୍ଦେଶରେ ଏହି ସବୁ କାର୍ଯ୍ୟାନୁଷ୍ଠାନ ହେଉଥିବା ଜିଲ୍ଳା କଂଗ୍ରେସ କହିଛି। ଯଦି ଏହି ଅତ୍ୟାଚାର ବନ୍ଦ ନହୁଏ, ତେବେ ଆଗାମୀ ଦିନରେ କଂଗ୍ରେସ ଦଳ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସ ମିଶି ସାରା ଦେଶରେ ତୀବ୍ର ଆନ୍ଦୋଳନ କରିବେ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କର ଦେଶରେ ଯଥେଷ୍ଟ ସମ୍ମାନ ରହିଛି। ବିଜେପି ଓ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଯେଭଳି ଭାବେ ତାଙ୍କୁ ଓ ଛାତ୍ରମାନଙ୍କୁ ଅପମାନିତ କରାଗଲା, ଆମେ ତାହାକୁ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛୁ। ଏହି କାର୍ଯ୍ୟାନୁଷ୍ଠାନ ପଛରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ହାତ ରହିଛି। ମାଲକାନଗିରି କଂଗ୍ରେସ ଏହା ବିରୋଧରେ ପ୍ରତିବାଦ ଜାରି ରଖିବ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ, ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଏବଂ କିଷାନ ସେଲ୍ର ବହୁ ସଂଖ୍ୟକ ନେତା ଓ କର୍ମୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)