ଦିବ୍ଯାଙ୍ଗ ସ୍ବାବଲମ୍ବୀ ହେବା ନିମନ୍ତେ ବ୍ଯାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ ପାଇଁ ଦାବି ।

ପଦ୍ମପୁର,୧୩/୦୯(ପିପିଟି); ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଭିନ୍ନକ୍ଷମ ମାନଙ୍କ ସଶକ୍ତିକରଣ ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ବିଭିନ୍ନ ଋଣ ମଧ୍ୟ ଯୋଗେଇବା ନିମନ୍ତେ ସରକାର ବ୍ୟବସ୍ଥା କରିଛନ୍ତି କିନ୍ତୁ ବ୍ଲକ ସ୍ତରୀୟ ସରକାରୀ କର୍ମଚାରୀଙ୍କ ଆନ୍ତରିକତା ଅଭାବ ଯୋଗୁଁ ଅନେକ ଲୋକେ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନା ଗୁଡିକର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଲ ବ୍ଲକ ଅଧିନସ୍ତ ସାପଲହର ଗ୍ରାମରେ । ଗାଁରେ ବାସ କରନ୍ତି ରାମ ବାରିକ, ବୟସ ୪୦ । ଜନ୍ମରୁ ସେ ଦିବ୍ୟାଙ୍ଗ ହେଲେ କେବେମଧ୍ୟ ନିଜର ଅକ୍ଷମତାକୁ ଦୁର୍ବଳତା ନ ଭାବି ବରଂ ନିଜେ ସ୍ୱାବଲମ୍ବୀ ହେବାପାଇଁ ସେ ନିଜର କୌଳିକ ବୃତ୍ତିକୁ ଆପଣେଇଛନ୍ତି । ଏବେ ମଧ୍ୟ ସେ କ୍ଷୁର କରିବାକୁ ବାହାରିପଡନ୍ତି ତାଙ୍କ ଭଙ୍ଗା ଟ୍ରାଇ ସାଇକେଲ ଯୋଗେ,ଉଦ୍ଦେଶ୍ୟ କିଭଳି ଦୁଇପାଇସା ରୋଜଗାର ହେଲେ ନିଜର ପରିବାର ପ୍ରତିପୋଷଣ କରିବେ କିନ୍ତୁ ଭଙ୍ଗା ଟ୍ରାଇସାଇକେଲ ବର୍ତ୍ତମାନ ତାଙ୍କର ଏହି ଉଦ୍ଦେଶ୍ୟ ସଫଳ କରିବା ପାଇଁ ବାଧକ ସାଜିଛି । ବର୍ତ୍ତମାନ ସ୍ତରରେ ତାଙ୍କୁ ଯଦି କୌଣସି ସରକାରୀ ସୁବିଧା ଅନୁଯାୟୀ ଏକ ବ୍ୟାଟେରୀ ଚାଳିତ ଟ୍ରାଇସାଇକେଲ ପ୍ରଦାନ କରାଯାଆନ୍ତା ତେବେ ଖୁସିରେ ଚଳପ୍ରଚଳ କରି ତାଙ୍କର ବୃତ୍ତି କରିବା ସହ ଦୁଇପାଇସା ରୋଜଗାର କରିପାରନ୍ତେ । ଏନେଇ ପାଇକମାଲ ବ୍ଲକ ପ୍ରଶାସନ ତରଫରୁ ଗତ ୬ ମାସ ତଳେ ତାଙ୍କ ଘରକୁ ଯାଇ ଟ୍ରାଇସାଇକେଲ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେ ତାହା ପାଣିର ଗାର ସାଜିଛି । କଥାରେ ଅଛି ଚାତକ ପକ୍ଷୀ ମୋର ଗୁରୁ ଉଦ୍ଦବ କେତେ ତୁ ପଚାରୁ…। ବର୍ତ୍ତମାନ ଓଡ଼ିଶାର ୫ଟି ଶାସନ ଚାଲୁଥିବା ଯୋଗୁଁ ରାମ ଓଡ଼ିଶା ସରକାର ତଥା ଭାରତ ସରକାରଙ୍କ ତରଫରୁ ସହାୟତା ପାଇବା ପାଇଁ ଆଶା ବାନ୍ଧିଛନ୍ତି,ଏବେ ଦେଖିବାକୁ ବାକି ରହିଲା କିଭଳି ରାମଙ୍କୁ ସହାୟତା ମିଳୁଛି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ)

Comments (0)
Add Comment