***ଦିନେ ଏ ମର୍ତ୍ତ୍ୟରୁ***

ଦିନେ ଏ ମର୍ତ୍ତ୍ୟରୁ ବିଦା ହେବରେ ସଜନୀ
ପ୍ରାଣ ପକ୍ଷୀ ଆମ….
ମୁଁ ବିଦା ହେବି ତୋ ଆଖି ଆଗରେ
ତୁ ବିଦା ହେବୁ ଦିନେ
ବିରହ ବିଚ୍ଛେଦ ଘାରିବ ପରାଣ
ବହୁଥିବ ଝଡ ମନେରେ ସଜନୀ
ପ୍ରାଣ ପକ୍ଷୀ ଆମ…..(ଘୋଷା)
କେତେ ସରାଗରେ କଲି ଅର୍ଦ୍ଧାଙ୍ଗିନୀ
ଦୁଇ ଆତ୍ମା ଏକାକାର…
ପ୍ରେମ ପ୍ରଣୟରେ ଦିନଗଲା ବିତି
ଆମ ଏ ସୁନା ସଂସାର….
ବୃଦ୍ଧ କାଳ ଆସି ହେଲା ଉପଗତ
ଘେରିଲା ବ୍ୟାଧି ପ୍ରବଳରେ ସଜନୀ
ପ୍ରାଣ ପକ୍ଷୀ ଆମ….(୧)
କେତେ ସୁଖ ଦୁଃଖ ବଣ୍ଟା ବଣ୍ଟି କରି
ପାଞ୍ଚ ପୁତ୍ର ଥିଲେ ପାଳି….
ସେହି ପୁତ୍ର ଏବେ ଘରୁ ଘଉଡାନ୍ତି
ସବୁ ମମତାକୁ ଭୁଲି….
ମୋର ମୋର ବୋଲି ଯାହା ଥିଲା ମାୟା
ମୋହ ସବୁ ଗଲା ତୁଟି ରେ ସଜନୀ
ପ୍ରାଣ ପକ୍ଷୀ ଆମ….(୨)
ଦେଇ ଥିଲି ତୋତେ କପାଳେ ସିନ୍ଦୂର
ଶାଢୀ ଶଙ୍ଖା ଦୁଇ ପଟ….
ମୁଁ ଗଲା ପରେ ସବୁ ପର ହେବ
ଅନ୍ଧାର ଦିଶିବ ବାଟ….
ତୁ କାନ୍ଦୁଥିବୁ ଝୁରି ଝୁରି ସିନା
ଘୋଟିବ ମହା ସଂକଟରେ ସଜନୀ
ପ୍ରାଣ ପକ୍ଷୀ ଆମ….(୩)
କୋକୋଇ ସଜାଡି ମଶାଣିକୁ ନେବେ
ରାମ ନାମ ସତ୍ଯ କହି…
ଖଇ କଉଡ଼ିକୁ ବିଞ୍ଚି ଶବଧାରେ
ଶ୍ମଶାନେ ପୋଡିବେ ନେଇ….
କାନ୍ଦ ବୋବାଳିରେ କମ୍ପିବ ଗଗନ
କିଛି ମୁହୂର୍ତ୍ତକ ପାଇଁ ରେ ସଜନୀ
ପ୍ରାଣ ପକ୍ଷୀ ଆମ….(୪)
ମୋ ବିଛେଦରେ ଅନ୍ନ ଜଳ ଛାଡି
ତୁ ହୋଇବୁ ଶଯ୍ୟାଶାୟୀ….
ତୋ ନେତ୍ରରୁ ଲୁହ ବୋହିବ ନିରତେ
ନପୋଛିବେ ଆସି କେହି….
ତୋ ପିଣ୍ତୁ ପରାଣ ଛାଡି ଗଲେ ଦିନେ
ଶ୍ମଶାନେ ଜାଳିବେ ଜୁଇରେ ସଜନୀ
ପ୍ରାଣ ପକ୍ଷୀ ଆମ….(୫)
କହଇ କେଶବ ଏ ମର୍ତ୍ତ୍ୟ ମଣ୍ତଳେ
ଜନମ ହେଲେ ମରଣ….
କେହି ରହି ନାହିଁ ଅମର ହୋଇଣ
ଏ ସବୁ ମାୟା ଭିଆଣ…
ପ୍ରଭୁ ପାଦେ ତଳେ ଭରସା କରିଣ
ମୁକ୍ତି ହେଉ ଏ ପରାଣରେ ସଜନୀ
ପ୍ରାଣ ପକ୍ଷୀ ଆମ…(୬)

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Comments (0)
Add Comment