ଦିନରେ ବନ୍ଦଘର ଉପରେ ନଜର, ରାତିରେ ଚୋରି; ୨ଚୋରଙ୍କୁ ଧରିଲା ଭଞ୍ଜନଗର ପୋଲିସ ।

ଭଞ୍ଜନଗର,୦୪/୦୧(ପିପିଟି ):ନୂତନ ବର୍ଷର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ରବିବାର ଭଞ୍ଜନଗର ପୋଲିସ ଦୁଇଟି ଚୋରି ମାମଲା ସମ୍ପର୍କରେ ସୂଚନା ଦେଇଛି।ଏହି ରାକେଟରେ ଥିବା ୨ଜଣ ହେଲେ ବାଉଁଶଲୁଣ୍ଡିର ବଳିଆ ନାୟକ ଓ ଖୋର୍ଦ୍ଧା ବୋଲଗଡ଼ ଥାନା ଖରଡ଼ା ପଲିର ଗୋବିନ୍ଦ ପ୍ରଧାନ।ପୋଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ କିଛି ବିଦେଶୀ ମୁଦ୍ରା ସହ ଚୋରି ଅଳଙ୍କାର, ଦୁଇଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଟିଭି ସମେତ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଉଦ୍ଧାର କରିଛି।ଆଜି ସେସମସ୍ତ ଉଦ୍ଧାର ଚୋରି ଜିନିଷକୁ ମାଲିକଙ୍କୁ ଫେରାଇ ଦିଆଯାଇଛି। ରବିବାର ଅପରାହ୍ନରେ ଭଞ୍ଜନଗର ଏସ୍‌ଡିପିଓ ଡ. ଦୀପକ କୁମାର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ତାହା ସୂଚନା ଦେଇଛନ୍ତି। ଏହି ସମୟରେ ଥାନାଧିକାରୀ ଜୀବାନାନନ୍ଦ ଜେନା,ଏସଆଇ ସମୀର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଗିରଫ ଅଭିଯୁକ୍ତ ଦ୍ବୟ ପୂର୍ବରୁ ଏଭଳି ଏକାଧିକ ମାମଲାରେ ଜଡ଼ିତ ଥିବା ପୋଲିସ କହିଛି।
ଘଟଣାରୁ ପ୍ରକାଶ ଯେ, ଗତ ୨୭ ତାରିଖ ରାତିରେ ଭଞ୍ଜନଗର ସତ୍ୟସାଇ ମନ୍ଦିର ପଛ ୪ର୍ଥ ଲାଇନରେ ରହୁଥିବା ଏସ୍‌ ରାହୁଲ ପାତ୍ର ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଘରେ ତାଲା ପକାଇ ନିଜ ଗ୍ରାମ ଦଦରାଲୁଣ୍ଡା ଯାଇଥିଲେ। ୨୯ ତାରିଖ ଦିନ ଘରକୁ ଫେରି ଦେଖିବା ବେଳକୁ ଘରୁ ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ଏନେଇ ରାହୁଲ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ଏହିଭଳି ପରିସ୍ଥିତିରେ ଶନିବାର ବାଉଁଶଲୁଣ୍ଡିର ଏକ ଘରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଘର ଭିତରେ ଥିବା ବେଳେ ବାହାରୁ ତାଲା ପଡ଼ିଥିବା ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ଏସ୍‌ଆଇ ସମୀର କୁମାର ସେଠୀ, ତଦନ୍ତ ଅଧିକାରୀ ଲକ୍ଷ୍ମୀଧର ମହାନ୍ତି, ହାବିଲଦାର ଦିଲ୍ଲୀପ ରାଉତ, ସନ୍ତୋଷ ନାୟକ, ଗଜେନ୍ଦ୍ର ସାଇଁ ପ୍ରମୁଖ ଉକ୍ତଘର ଉପରେ ଚଢ଼ାଉ କରିଥିଲେ। ତାଲା ଭାଙ୍ଗି ଦେଖିବା ବେଳକୁ ଘର ଭିତରେ ଅଭିଯୁକ୍ତ ଗୋପାଳ ପ୍ରଧାନ ଥିଲେ। ଏଥିସହ କିଛି ଚୋରି ଜିନିଷ ଉକ୍ତ ଘରୁ ପୋଲିସ ଠାବ କରିଥିଲା। ଏହାପରେ ଗୋପାଳଙ୍କୁ ପୋଲିସ ନେଇ ପଚରାଉଚରା କରିବା ପରେ ସେ ବଳିଆ ସମ୍ପର୍କରେ ସୂଚନା ଦେଇଥିଲେ। ଏହାପରେ ବଳିଆଙ୍କୁ ମଧ୍ୟ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏହାପରେ ଜାମପଲ୍ଲୀର ଆଶୋକ ପ୍ରଧାନ ଏବଂ ରାହୁଲ ପାତ୍ରଙ୍କ ଘରୁ ହୋଇଥିବା ଚୋରି ମାମଲାରେ ଅଭିଯୁକ୍ତମାନେ ଜଡ଼ିତ ଥିବା ଜଣାପଡ଼ିଥିଲା।ଅଭିଯୁକ୍ତ ମାନେ ଧରା ନପଡ଼ିବା ପାଇଁ ହାତରେ ଗ୍ଲୋବସ୍ ପିନ୍ଧି ଲୁହା ଛଡ଼ ସାହାଯ୍ୟରେ ଘରକବାଟ ଓ ବାକ୍ସ, ଆଲମୀରା ତାଡ଼ି ଚୋରୀ କରୁଥିଲେ। ପୋଲିସ ଦୁହିଁଙ୍କ ଠାରୁ ସମସ୍ତ ଚୋରି ଜିନିଷ ଉଦ୍ଧାର କରିବାରେ ସକ୍ଷମ ହୋଇଛି।ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି। ବଳିଆ ଦିନ ବେଳେ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ କେଉଁ ଘରେ ତାଲା ପଡ଼ିଛି ତାହାକୁ ଟାର୍ଗେଟ୍‌ କରିବା ପରେ ତାର ସହଯୋଗୀ ଗୋପାଳଙ୍କୁ ସୂଚନା ଦେଇଥାନ୍ତି। ଗୋପାଳ ଖୋର୍ଦ୍ଧାରୁ ଆସିବା ପରେ ଦୁହେଁ ମିଶି ଚୋରି କରୁଥିଲେ। ଏହାପରେ ଗୋପାଳଙ୍କୁ ଏକ ଘରେ ତାଲା ବାହାରୁ ପକାଇ ବଳିଆ ଦିନ ବେଳେ ଚାଲି ଯାଉଥିଲେ। ଆବଶ୍ୟକ ପଡ଼ିଲେ ଗୋପାଳ ଏକ ଗଳା ବାଟ ଦେଇ ଉକ୍ତ ଘରୁ ବାହାରୁଥିଲେ। ଉକ୍ତ ଗଳାବାଟ ହିଁ ଅଭିଯୁକ୍ତ ଦ୍ୱୟଙ୍କୁ ଧରା ପକାଇଥିଲା ବୋଲି ପୋଲିସ କହିଛି।ନିଜର ଚୋରି ଜିନିଷ ଫେରିପାଇଥିବା ବ୍ୟକ୍ତି ଭଞ୍ଜନଗର ପୋଲିସର ସଫଳତାକୁ ବେଶ ପ୍ରଶଂସା କରିଛନ୍ତି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Comments (0)
Add Comment