ଯାଜପୁର, ୧୧/୦୬(ପିପିଟି): ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଦାନଗଦି ବ୍ଲକର କାରାମଗୋଠ ଏବଂ ରାଇଘାଟି ଗ୍ରାମରେ ଗୁଣିଗାରେଡ଼ି ଏବଂ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ତଥା ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଡାହାଣୀ ପ୍ରଥା ଭଳି ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ବିରୋଧରେ ଜନ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଭାରେ ଅତିଥି ଭାବେ ଦାନଗଦି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ ଏବଂ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନନ୍ଦିନୀପ୍ରଭା ଲେଙ୍କା ଯୋଗ ଦେଇଥିଲେ। ଦାନଗଦୀ ବିଡ଼ିଓ ଶ୍ରୀ ସେଠୀ କହିଥିଲେ ଯେ ସ୍ୱାସ୍ଥ୍ୟ ସମସ୍ୟା ହେଲେ ଗୁଣିଗାରେଡ଼ି, ଝଡାଫୁଙ୍କାରେ ବିଶ୍ୱାସ ନ କରି ନିକଟସ୍ଥ ଡାକ୍ତରଖାନା ଯିବା ଉଚିତ। ଏହାସହ ଡାହାଣୀ ବୋଲି କିଛି ନାହିଁ ବୋଲି ସେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଡାହାଣୀ ପ୍ରଥାରେ ମହିଳାଙ୍କୁ ନିର୍ଯାତନା ଦେବା ଏକ ଅମାନବୀୟ ଘଟଣା ବୋଲି କହିବା ସହ ବର୍ତ୍ତମାନର ବିଜ୍ଞାନ ଯୁଗରେ ଏସବୁ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଲେଙ୍କା ଅତି ସରଳ ଭାବେ ଅନ୍ଧବିଶ୍ୱାସର କୁପରିଣାମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ମୌଳିକ ସୁବିଧା ଏବଂ ଭିତ୍ତିଭୂମିର ବିକାଶ ସହ ଆମ ଚିନ୍ତା ଚେତନାରେ ମଧ୍ୟ ବିକାଶ ଜରୁରୀ ବୋଲି ସେ କହିଥିଲେ। ଏହାସହ ବ୍ଲକ୍ କଳା ସଂସ୍କୃତି ସଂଘର କଳାକାରମାନେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ଏକ ଆକର୍ଷଣୀୟ ପାଲା ଲୋକକଳା ପରିବେଷଣ କରି ସଚେତନତା ବାର୍ତ୍ତା ଦେଇଥିଲେ। ସ୍ଲୋଗାନ ପ୍ଲାକାର୍ଡ ମାଧ୍ୟମରେ ଏହି ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଶିବିରରେ ପ୍ରାୟ ଦୁଇ ଶହ ଗ୍ରାମବାସୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଆଶା ଓ ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ। ଏଥିରେ ବ୍ଲକ କର୍ମକର୍ତ୍ତା, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ସତ୍ୟଜିତ ନାୟକ, ଶାନ୍ତନୁ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।