ଦାଦନ ଶ୍ରମିକଙ୍କୁ ନେଇ ବିବାଦ, ରାଜ୍ୟ ଭିତରେ ଦାଦନ ଶ୍ରମିକ ଓ ରାଜ୍ୟ ବାହାର ଦାଦନ ଶ୍ରମିକଙ୍କ ପାଇଁ ଅଲଗା ଗାଇଡ ଲାଇନ୍ ।

ବରଗଡ଼,(ପିପିଟି ନ୍ଯୁଜ୍) ୧୬ /୦ ୫,କରୋନା ମହାମାରୀ ରେ ଭୟଭୀତ ଓ ଆତଙ୍କିତ ହୋଇ ରାଜ୍ୟ ବାହାରୁ ଓ ରାଜ୍ୟ ଭିତରେ ଥିବା ଲକ୍ଷ ଲକ୍ଷ ଦାଦନ ଶ୍ରମିକ ନିଜ ନିଜ ଭିଟା ମାଟିକୁ ପ୍ରତ୍ଯା ବର୍ତ୍ତନ ଆରମ୍ଭ କରିଛନ୍ତି  । ଓଡିଶା ବାହାରୁ ଆସୁଥିବା ଦାଦନ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ଗାଁ ଗାଁ ରେ ସ୍କୁଲ ଘର ଗୁଡିକରେ କ୍ବେରେଣ୍ଟାଇନ ସେଣ୍ଟର ଖୋଲି ସେମାନଙ୍କ ୨୧ ଦିନର ରହିବା, ଖାଇବା ବ୍ଯବସ୍ଥା ସହ ପ୍ରତି ଶ୍ରମିକଙ୍କୁ ୨ ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି   । କିନ୍ତୁ ରାଜ୍ୟ ଭିତରେ କଟକ,ଯାଜପୁର,ଗଂଜାମ,କୋଣାର୍କ, ବାଲେଶ୍ବର ଅଞ୍ଚଳକୁ ଦାଦନ ଖଟି ଯାଇ ବର୍ତ୍ତମାନ ନିଜର ଭିଟା ମାଟିକୁ ଫେରୁଥିବା ଶ୍ରମିକ ମାନଙ୍କୁ ନେଇ ଗାଁ ଗାଁରେ ବିବାଦ ଆରମ୍ଭ ହୋଇଛି  । ଇତି ମଧ୍ୟରେ ପାଇକମାଲ ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ବିଜାଡିହି ଗ୍ରାମର ୨୦ ଜଣ ଶ୍ରମିକ, କେରେମେର୍ଲା ବାହାଲ ଗ୍ରାମ ପଞ୍ଚାୟତ ୪ ଜଣ, ମାଣ୍ତୋସିଲ ଗ୍ରାମ ପଞ୍ଚାୟତ ଡୁମ୍ବେରବାହାଲ,ଧାରୋଲ,ମାଣ୍ତୋସିଲ, ଭୂତମୁଣ୍ତା ଗ୍ରାମର ୮୪ ଜଣ,ବରତୁଣ୍ତା ଗ୍ରାମ ପଞ୍ଚାୟତର ୪୦ ଜଣ,ବାଦିକଟା ଗ୍ରାମ ପଞ୍ଚାୟତ ଘେଁସରା ୩୪ ଜଣ,ବାଦିକଟା ୧୪ ଜଣ,ଲହଙ୍ଗେର ଗ୍ରାମ ର ୩୦ ଜଣ ଏବଂ ଝାରବନ୍ଦ ବ୍ଲକର ଚଣ୍ତିଭଟା ଗ୍ରାମ ପଞ୍ଚାୟତ ୫୦ ଜଣ, ଅମଠି ଗ୍ରାପର ୪୫ ଜଣ ଏଭଲି ଅଞ୍ଚଳର ପ୍ରାୟ ୩ ହଜାର ଶ୍ରମିକ ପଦ୍ମପୁର ଅଞ୍ଚଳକୁ ଫେରିଛନ୍ତି । ଘେଁସରା ଓ ବିଜାଡିହି ଗ୍ରାମରେ ଶ୍ରମିକ ମାନେ ପରିବାର ସହ ଗାଁ କୁ ଫେରିବାରୁ ଗ୍ରାମବାସୀ ମାନେ ସେମାନଙ୍କୁ ଗାଁ ଭିତରକୁ ପୁରେଇ ଦେଲେ ନାହିଁ  । ପଦ୍ମପୁର ଉପ ଜିଲ୍ଲାପାଳ ହସ୍ତକ୍ଷେପ ପରେ ସେମାନଙ୍କୁ ଗାଁ ସ୍କୁଲରେ ଭର୍ତ୍ତି କରା ଯାଇଛି  । କିନ୍ତୁ ସରକାରଙ୍କ ଗାଇଡ ଲାଇନ୍ ରେ ରାଜ୍ୟ ଭିତର ଶ୍ରମିକ ମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ରହିବାର କିମ୍ବା ଖାଇବାର ବ୍ଯବସ୍ଥା ନାହିଁ  । ଏ ଶ୍ରମିକ ମାନେ କରୋନା ରେଡ ଯୋନ ଯାଜପୁର, ଗଂଜାମ,ବାଲେଶ୍ବର ଜିଲ୍ଲାରୁ ଫେରୁଥିବାରୁ ଗାଁ ଭିତରେ ଉତ୍ତେଜନା ସୃଷ୍ଟି ହୋଇ ଗାଁକୁ ଲୋକେ ପୁରେଇ ଦେଉନାହାନ୍ତି । ଏମାନଙ୍କ ପାଇଁ କୌଣସି ପ୍ରକାର ଅର୍ଥ ବ୍ଯବସ୍ଥା ନଥିବାରୁ ସରପଞ୍ଚ, ବିଡିଓ ମାନେ ମଧ୍ୟ ଅସହାୟ ହୋଇ ହାତ ଟେକି ଦେଉଛନ୍ତି । ବିଡମ୍ବନାର ବିଷୟ ଯେ , ବର୍ତ୍ତମାନ ଏହି ଶ୍ରମିକ ମାନେ ଗ୍ରାମ ରୁ ବାସନ୍ଦ ହୋଇ ନିଜର ଖାଦ୍ଯ ନିଜେ ଯୋଗାଡ କରିବାରେ ମଧ୍ୟ ଅସମାର୍ଥ୍ଯ ହୋଇ ଅନେକ ସ୍ଥାନରେ ଭୋକ ଉପାସରେ ଅଛନ୍ତି  । ଓଡିଶା ଭିତରୁ ଆସୁଥିବା ଏହି ଦାଦନ ଶ୍ରମିକ ମାନଙ୍କ ପ୍ରତି ରାଜ୍ୟ ସରକାର ସମ୍ବେଦନଶୀଳ ହୋଇ ଏ ମାନଙ୍କ ରହିବା ଓ ଖାଇବାର ଏକ ସ୍ବତନ୍ତ୍ର ଗାଇଡ ଲାଇନ୍  ପ୍ରସ୍ତୁତ କରିବାକୁ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବି କରିଛନ୍ତି  ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Comments (0)
Add Comment