***ଦର୍ପଣ***

ଧନୀ କି ଗରିବ ନାହିଁ ଭେଦାଭେଦ
ଘରେ ଘରେ ଶୋଭା ଦର୍ପଣ….
ପିଲା ହେଉ ବୁଢା ସବୁରି ଆଦର
ଦର୍ପଣରେ ମୁଖ ଦର୍ଶନ…..!!
ସବୁଠି ଛଳନା ଅଛି ପ୍ରବଞ୍ଚନା
ଦର୍ପଣରେ ନାହିଁ ପ୍ରତିବାଦ….
ବୟସର ଛାପ ଅବିକଳ ଦୃଶ୍ୟ
ଦର୍ଶାଏ ସମ୍ମୁଖେ ନିର୍ବିବାଦ….!!
ଦର୍ପଣଟା ଗଢା କାଚ ଉପାଦାନେ
ହସ୍ତୁ ଗଲେ ଖସି ହୁଏ ଚୂର୍ଣ୍ଣ….
ଭାଙ୍ଗି ଗଲେ ଆଉ ହୁଏ ନାହିଁ ଯୋଡି
ଧର ଧୀରେ ହୋଇ ସାବଧାନ…..!!
ଦର୍ପଣ ଧରି କେ ସ୍ନାନ ସମାପନେ
ମୁଖ ଶୃଙ୍ଗାରରେ ହୁଏ ମଗ୍ନ….
ନିଜ ଅଙ୍ଗ ରାଗ ସୁସଜ୍ଜିତ କରେ
ଚାହିଁଣ ମୁକୁର କ୍ଷଣ କ୍ଷଣ….!!
ନାରୀର ସୌନ୍ଦର୍ଯ୍ୟ ଆଙ୍କଇ ମୁକୁର
କେଶ ବିନ୍ୟାସର ଚାରୁ ଚିତ୍ର….
ନୟନେ କଜ୍ଜଳ ଅଧରେ ଲାକ୍ଷକ
ପ୍ରଲେପର ବହେଥାଏ ସୂତ୍ର….!!
ରମଣୀ ରତନ କରିଣ ଯତନ
ସୀମନ୍ତେ ସନ୍ତକ ସିନ୍ଦୂରର….
ଲଗାଇ ମଥାରେ ସବଧବା ହୁଅଇ
ମୁକୁର ବିମ୍ବିତ ନୟନର….!!
ଯେବେ ସେ ବୈଧବ ବେଶ ଧରେ ନାରୀ
ମୁକୁରକୁ କରେ ଅନାଦର…..
କି ହେବ ବିଧବା ସଜ୍ଜିତ ହୋଇଲେ
ଛାରଖାର ଯେବେ ସୌନ୍ଦର୍ଯ୍ୟର….!!
ନାପିତ ସଯତ୍ନେ ଦର୍ପଣ ସାଇତି
ଦାଢି ନିଶ କାଟେ ପୁରୁଷର…..
କେଶ କର୍ତ୍ତନରେ ମୁକୁର ସହାୟ
ହୋଇ ଥାଏ ସଦା ଗ୍ରାହକର….!!
ବାରବଧୂ ଦେଖ ବାରବାର ରୂପ
ସଜାଡେ ମୁକୁର କରେ ଧରି….
ଲମ୍ପଟ ରସିକ ନାଗର ଚିତ୍ତକୁ
ଆକର୍ଷେ କଟାକ୍ଷ କରି କରି…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment