ମାଲକାନଗିରି,୦୩/୧୨(ପିପିଟି): ଓଡ଼ିଶା ସରକାରଙ୍କ ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ର ସଂପୂର୍ଣ୍ଣ ମ୍ୟାରେଲିଆ ନିରାକରଣ କାର୍ଯ୍ୟକ୍ରମ ଦମନ କୁ ଆଧାର କରି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଜଳଭଣ୍ଡାର ଆରପଟ ର ନିଛକ୍ ସତ୍ୟକୁ ରୂପେଲି ପରଦାରେ ରୂପ ଦେଇଥିବା ଦମନ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଭିଷାଲ ମୈର୍ଯ୍ଯ,ସହ ପ୍ରଯୋଜକ ବିଜୟ ପାତ୍ର, ସହ-ନିର୍ଦ୍ଦେଶକ ଇମ୍ରାନ ଓ ସମ୍ବିତ ଜେନାଙ୍କ ସହ ପୁରା ଟିମ୍ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ ପାଇଁ ଆସିଥିଲେ । ଚଳଚ୍ଚିତ୍ର ଦମନରେ ପ୍ରଦର୍ଶିତ ସ୍ୱାଭିମାନ ଅଞ୍ଚଳ ଯାନବାଇ,ଯୋଡାମ୍ବ,ଧୂଳିପୁଟ, ରାଲେଗଡ଼ା ଓ ପାପରମେଟଲା ଅଞ୍ଚଳ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିସର ଭୁକ୍ତ ଅଟେ। ଏହି ଅବହେଳିତ ଅଞ୍ଚଳର ଅଧିବାସୀମାନେ ମ୍ୟାଲେରିଆ ଜ୍ୱରରେ କବଳିତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଥିଲେ । ରାଜ୍ୟ ସରକାରଙ୍କ ପରିବାର କଲ୍ୟାଣ ଓ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ ମାଲକାନଗିରି ଓ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଓ ଡାକ୍ତରଙ୍କ ସମର୍ପିତ ସେବା ଯୋଗୁଁ ଏହି ଅଞ୍ଚଳ ବର୍ତ୍ତମାନ ମ୍ୟାଲେରିଆ ମୁକ୍ତ ହୋଇପାରିଛି । ଏହି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଆଧାର କରି ଦମନ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏଥି ମଧ୍ୟରେ ରାଜ୍ୟ ସରକାର ଉକ୍ତ ଚଳଚ୍ଚିତ୍ରକୁ ଟ୍ୟାକ୍ସ ଫ୍ରି କରିବା ସହ ଓଡ଼ିଶାର ତିରିଶିଟି ଜିଲ୍ଲା ସଦରମହକୁମାର ସିନେମା ହଲରେ ସ୍ୱାସ୍ଥ୍ୟ ବିଭାଗ ସହ ଜଡ଼ିତ ସମସ୍ତ କର୍ମଚାରୀମାନଙ୍କୁ ଦେଖିବା ପାଇଁ ବ୍ୟବସ୍ଥା କରିଵା ସହ କର୍ମଚାରୀମାନଙ୍କୁ ଜନସେବା ପାଇଁ ପ୍ରେରଣା ଯୋଗାଇବ । ଏହି ଅବସରରେ ମାଲକାନଗିରି ଜିଲ୍ଲାକୁ ଆସିଥିବା ଦମନ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦ୍ଦେଶକ ତଥା ପୁରା ଟିମ୍ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନଙ୍କୁ ଭେଟି ସେମାନଙ୍କ ଅଦମ୍ୟ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଡଃ ସନ୍ତୋଷ କୁମାର ଷଡଙ୍ଗୀ ଓ ସମସ୍ତ କର୍ମଚାରୀ ଦମନ ଚଳଚ୍ଚିତ୍ରର ପୁରା ଟିମ୍ କୁ ଉତ୍ସସିତ ସମ୍ବର୍ଦ୍ଧନା କରିବା ସହ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିନରେ ଆସୁଥିବା ସ୍ୱାଭିମାନ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଟିକିନିଖି ବିବରଣୀ ପ୍ରଦାନ କରିଥିଲେ। ଦମନର ପୁରା ଟିମ୍ ଏହି ସ୍ୱର୍ଣିମ ସମ୍ବର୍ଦ୍ଧନାରେ ଭାବପ୍ରବଣ ହେବା ସହ ଏହି ଚଳଚ୍ଚିତ୍ରର ସମସ୍ତ ଶ୍ରେୟ କୁଡୁମୁଲୁଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା କର୍ତ୍ତୃପକ୍ଷ ଓ ସ୍ୱାଭିମାନ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ସମର୍ପିତ କରିଥିଲେ ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)