ଥାନା ବାରେକ ଭିତରକୁ ପଶିଲା ହାତୀ,ଭାଙ୍ଗିଲା ତାରବାଡା,କଦଳୀ ଗଛ ।

ନାକଟିଦେଉଳ,୨୯/୦୬:- ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳରେ ହାତୀ ଉପଦ୍ରଵ ଥମିବା ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଜଙ୍ଗଲୀ ହାତୀପଲ ବିଭିନ୍ନ ଗ୍ରାମରେ ସେମାନଙ୍କ ଉପଦ୍ରଵ ଜାରି ରଖିଥିବା ବେଳେ ଏବେ ସହର ମୁହାଁ ହୋଇଛନ୍ତି । ରବିବାର ରାତିରେ ଏକ ଦନ୍ତା ହାତୀ ନାକଟିଦେଉଳ ଥାନା ବାରେକ ଭିତରେ ପଶି ଉପଦ୍ରଵ କରି କ୍ଷୟକ୍ଷତି କରିଥିବା ଜଣାପଡିଛି । ଏହି ଦନ୍ତା ହାତୀ ପ୍ରଥମେ ରବିବାର ରାତି ପ୍ରାୟ ୯ ଟା ସମୟରେ ବ୍ଲକ ଛକ ସ୍ଥିତ ଦମକଳ ବିଭାଗ ବାରେକ ନିକଟକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ମାନେ ସେଠାରେ ପହଞ୍ଚି ଉକ୍ତ ଦନ୍ତା ହାତୀକୁ ଘଉଡ଼ାଇ ଥିଲେ । ତେବେ ଉକ୍ତ ଦନ୍ତା ସେଠାରୁ ଖସି ରାତ୍ରି ପ୍ରାୟ ୧ଟା ସମୟରେ ନଦୀ ପଛ ପାଖରେ ଆସି ନାକଟିଦେଉଳ ଥାନା ବାରେକ ପଛ ପାଖରେ ଥିବା ତାରବାଡା ଓପାଡି ବାରେକ ଭିତରେ ପଶି ସେଠାରେ ଥିବା ଏକାଧିକ କଦଳୀ ଗଛ ସବୁ ଭାଙ୍ଗି ରୁଜି ନଷ୍ଟ କରିଦେଇଥିବା ଜଣାପଡିଛି । ଏହି ଦନ୍ତା ହାତୀ ବନ ବିଭାଗର ନିଦ ହଜାଇ ଦେଉଥିବା ବେଳେ କେତେବେଳେ କେଉଁ ସମୟରେ କେଉଁ ସ୍ଥାନରେ ଆବିର୍ଭାବ ହେଉ ଯାଉଛି ତାହା କେହି ଜାଣିପାରୁ ନାହାଁନ୍ତି । ଏହି ଦନ୍ତା ପାଇଁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Comments (0)
Add Comment