ତୃତୀୟ ପର୍ଯ୍ୟାୟରେ ଆଜି ହିଞ୍ଜିଳିର ଆଉ ୧୦ଟି ସ୍କୁଲକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର/ଛତ୍ରପୁର,୨୬/୦୮(ପିପିଟି); ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର । ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ । ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ ଜାରି ରଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରୀତ ସ୍କୁଲକୁ ଲୋକାର୍ପିତ କରିବା ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ୫ଟି ପର୍ଯ୍ୟାୟରେ ୫୦ଟି ସ୍କୁଲର ଲୋକାର୍ପଣ କରାଯିବ। ଆଜି ସୁଦ୍ଧା ୩୦ଟି ସ୍କୁଲ ଲୋକାର୍ପିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଏ ରୂପାନ୍ତର ପିଲାମାନଙ୍କ ଉଜ୍ଜଳ ଭବିଷ୍ୟତକୁ ସାକାର କରିବାରେ ପ୍ରୋତ୍ସାହିତ କରିବ। ପିଲାମାନଙ୍କ ଖୁସି ଓ ଉତ୍ସାହରେ ସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସ୍କୁଲଗୁଡିକର ଏହି ନୂଆ ସୁଯୋଗ ଓ ନୂଆ ପରିବେଶ ପିଲାମାନଙ୍କୁ ସ୍କୁଲକୁ ଆସିବାପାଇଁ ଓ ପାଠ ପଢିବା ପାଇଁ ଆଗ୍ରହ ସୃଷ୍ଟି କରିପାରିଛି।  ପିଲାମାନଙ୍କର ଏହି ଆଗ୍ରହ ହିଁ ସେମାନଙ୍କ ସଫଳତା ପାଇଁ ନୂଆ ରାସ୍ତା ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜି ଲୋକାର୍ପିତ ହୋଇଥିବା ବିଦ୍ୟାଳୟ ଗୁଡିକ ହେଉଛି , ଗଣେଷ ବିଦ୍ୟାପୀଠ, ଗଣ୍ଡୋଳ ପଞ୍ଚାୟତ, କୃଷ୍ଣଛାଇ ହାଇସ୍କୁଲ, କୃଷ୍ଣଛାଇ ପଞ୍ଚାୟତ, ଅଲପୁର ହାଇସ୍କୁଲ, ରଲବା ପଞ୍ଚାୟତ, ପଞ୍ଚାୟତ ହାଇସ୍କୁଲ, ଅଲାରିଗଡା ପଞ୍ଚାୟତ, ସରକାରୀ ହାଇସ୍କୁଲ, କଞ୍ଚୁରେ ପଞ୍ଚାୟତ, ଧବଳପୁର ହାଇସ୍କୁଲ, ଧବଳପୁର ପଞ୍ଚାୟତ, ସମଲାଇ ବିଦ୍ୟାପୀଠ, ପୋଡିଙ୍ଗି, ବୁରୁପଡା ପଞ୍ଚାୟତ, ଗୋବିନ୍ଦପୁର ହାଇସ୍କୁଲ, ଗୋବିନ୍ଦପୁର ପଞ୍ଚାୟତ, କୁରୁଲା ସରକାରୀ ହାଇସ୍କୁଲ, କୁରୁଲା ପଞ୍ଚାୟତ, ସାରୁ ହାଇସ୍କୁଲ, ସାରୁ ପଞ୍ଚାୟତ

କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛାତ୍ର ଜୀବନ  ହେଉଛି ସବୁଠାରୁ ମୂଲ୍ୟବାନ  ସମୟ।
ତେଣୁ ଏହି ସମୟର ସଦୁପଯୋଗ କରି  ନିଜ ପ୍ରତିଭାର ବିକାଶ ପାଇଁ  ପିଲାମାନେ ଉଦ୍ୟମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ଏହାର ପ୍ରତ୍ୟେକ ନୀତିର ପ୍ରୟୋଗରେ କିପରି ବିଦ୍ୟାଳୟ ରୂପାନ୍ତରଣ କରାଯାଇଛି, ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିରେ ଆରମ୍ଭ ହୋଇଥିବା ଏହି ରୂପାନ୍ତରଣ କାର୍ଯ୍ୟ ସାରା ରାଜ୍ୟରେ ପ୍ରତିଫଳିତ ହେବ। ଓଡିଶାର ସବୁ ସ୍କୁଲରେ ଆସିବ ରୂପାନ୍ତରଣ। ଅତିଥି ଭାବରେ ଯୋଗ ଦେଇଥିବା ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ ଓ ବିଧାୟକ ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିଞ୍ଜିଳିର ସ୍କୁଲ ମାନଙ୍କର ଏ ରୂପାନ୍ତରଣ ସମସ୍ତଙ୍କ ପାଇଁ ଏକ ଶିକ୍ଷଣୀୟ ଉଦାହରଣ।

ଜନପ୍ରତିନିଧି ଭାବରେ ସେମାନେ ସମାଜର ସବୁ କ୍ଷେତ୍ରରେ ଏପରି ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ପରିଶେଷରେ ଜନସାଧାରଣ ରୂପାନ୍ତରଣ ହୋଇଥିବା ସ୍କୁଲ ଗୁଡିକର ଯତ୍ନ ନିଜ ସଂପତ୍ତି ପରି ନେବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ ଯେ ଗୋଟିଏ ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ ବିଦ୍ୟାଳୟ ର ରୂପାନ୍ତରୀକରଣ ରେ ହିଞ୍ଜିଳି  ସାରା ଦେଶରେ ପ୍ରଥମ । 5ଟି ସଚିବ ଶ୍ରୀ ଭିକେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ନିକିତା , ସ୍ମୃତି ରାଣୀ, ଶିବାନୀ,ଅଞଳି , ଶାଶ୍ବତୀ ,ସମୀରଣ , ପୂର୍ଣ୍ଣଚନ୍ଦ୍ର,ସ୍ବର୍ଣ୍ଣଶ୍ରୀ ପ୍ରମୁଖ ଛାତ୍ରଛାତ୍ରୀ ରୂପାନ୍ତର କିପରି ପାଠ ପ୍ରତି ସେମାନଙ୍କ ଆଗ୍ରହ ଦ୍ବିଗୁଣିତ କରିଛି ତାହା ବର୍ଣ୍ଣନା କରିଥିଲେ । ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଯୋଗ ଦେଇଥିଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମନ୍ତ୍ରୀ ଅରୁଣ ସାହୁ , ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ତୁଷାର କାନ୍ତି ବେହେରା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଏମ୍ ପି ପ୍ରମିଳା ବିଶୋଇ , ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ । ଏହି ଅବସରରେ  ଉଦବୋଧନ ଦେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ  କହିଥିଲେ  ଯେ ଏ ରୂପାନ୍ତରକୁ ଆଗାମୀ ଦିନରେ ସାରା  ଦେଶ ଅନୁକରଣ କରିବ । ଗଞ୍ଜାମ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇ ଥିଲେ ।

Comments (0)
Add Comment