ତିନି ରାଉଣ୍ଡ ଫାଙ୍କା ଗୁଳିଚାଳନା;ଝାମ୍ପି ନେଇଗଲେ ୮ ଲକ୍ଷ ୩୦ ହଜାର ଟଙ୍କା ।

ବାଣପୁର,୧୯/୧୧: ଲୁଟେରାଙ୍କ ଭୁସ୍ୱର୍ଗ ପାଲଟିଛି ବାଣପୁର । ଗୋଟିଏ ମାସ ମଧ୍ୟରେ ସାତୋଟି ଘର ତାଲାଭାଙ୍ଗି ଚୋରି ସମେତ ଦୁଇ ଦୁଇଟି ବନ୍ଧୁକ ମୁନରେ ଲୁଟ ପୁଲିସର ନିଦ ହଜାଇ ଦେଇଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଜନ ସାଧାରଣ । ରବିବାର ରାତିରେ ମାଟିଆ ପୋଖରୀ ରାସ୍ତାରେ ସପିନ ପୃଷ୍ଟିଙ୍କ ଘର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ୪୫ହଜାର ଟଙ୍କା ଚୋରି କରିନେଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ବାଣପୁର ଥାନା ୧୬ ନଂ ଜାତୀୟ ରାଜପଥ ବାଣପୁର ଓଭର ବ୍ରିଜ ନିକଟରେ ଏକ କାରକୁ ଅଟକାଇ ୩ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୮ ଲକ୍ଷ ୩୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି । ଖବର ପାଇ ପୁଲିସ ଉଭୟ ରାସ୍ତା ସିଲ କରି ଘଟଣା ତଦନ୍ତ ଚଳାଇଛି । ମାତ୍ର ଲୁଟେରାଙ୍କ ସର୍ମ୍ପକରେ କୈାଣସି ସୂଚନା ମିଳିପାରିନାହିଁ । ଚିଲିକା ଚଣ୍ଡେସ୍ୱର ଅଞ୍ଚଳର ଏକ ଚାଉଳ କଳର ଦୁଇ ଜଣ କର୍ମଚାରୀ ସୁକାନ୍ତ ଚନ୍ଦ୍ର ରାଉତରାୟ, ଅଶୋକ ଓ ଚାଳକ ମହେନ୍ଦ୍ର ଷଣ୍ଢ ପ୍ରମୁଖ ତିନି ଜଣ ଗଞ୍ଜାମ ଜିଲ୍ଳାର କେଶପୁର ଏବଂ ଖୋର୍ଦ୍ଧା ଜିଲ୍ଳାର ବାଣପୁର ଓ ବାଲୁଗାଁ ଅଞ୍ଚଳରୁ ବ୍ୟବସାୟ ବାବଦ ବକେୟା ଟଙ୍କା ସଂଗ୍ରହ କରି ଏକ କାର ଯୋଗେ ସନ୍ଧ୍ୟା ସମୟରେ ଫେରୁଥିଲେ । କାରଟି ବାଣପୁର ପଟୁ ଓଭରବ୍ରିଜକୁ ଉଠୁଥିବା ବେଳେ ହଠାତ୍ ଏକ ଟାଟା ଏସି ଗାଡି କାର ସମ୍ମୁଖକୁ ଆସିଯିବାରୁ ବାଧ୍ୟ ହୋଇ ଚାଳକ କାରଟି ଅଟକାଇଥିଲେ । ଏ’ ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ୩ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଏକ ପଲସରରେ ଆସି ଚାଳକ ପାର୍ଶ୍ୱ ଡୋର ଗ୍ଲାସ ଭାଙ୍ଗି ଦେବା ସହ ଆଗରେ ବସିଥିବା ଲୋକକୁ ବନ୍ଧୁକ ଦେଖାଇଥିଲେ । ପରେ ପରେ ଗାଡିରେ ଥିବା ଟଙ୍କା ବ୍ୟାଗଟି ଲୁଟି ନେଇଥିଲେ । ତେବେ କର୍ମଚାରୀ ଜଣଙ୍କ ପ୍ରତିବାଦ କରିବାରୁ ଦୁର୍ବୃତ୍ତ ଜଣଙ୍କ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ସେମାନଙ୍କୁ ଭୟଭୀତ କରାଇ ଟଙ୍କା ବ୍ୟାଗଟି ଲୁଟି ନେଇ ଖୋର୍ଦ୍ଧା ଅଭିମୁଖେ ଫେରାର ହୋଇଯାଇଥିଲେ । ଖବର ପାଇ ବାଣପୁର ଥାନା ଅଧିକାରୀ,ବାଲୁଗାଁ ଉପଖଣ୍ଡ ଅଧିକାରୀ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛନ୍ତି । ତେବେ ରିର୍ପୋଟ ଲେଖା ହେବା ବେଳକୁ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇବାରେ ପୁଲିସ ସକ୍ଷମ ହୋଇପାରିନାହିଁ ।

Comments (0)
Add Comment