କେନ୍ଦୁଝର, ୨୯/୦୭: ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ତଦାରଖ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାକୁ ପ୍ରଭାରୀ ସଚିବମାନଙ୍କୁ ମନୋନୀତ କରାଯାଇଛି।
ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ (ଭା.ପ୍ର.ସେ.) ତିନିଦିନିଆ ଗସ୍ତରେ ଆସି ଆଜି କେନ୍ଦୁଝରରେ ପହଞ୍ଚିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍ଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ସେଗୁଡ଼ିକର ସଫଳତା ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଏହି ବୈଠକରେ ଶ୍ରୀ ବଶିଷ୍ଠ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ଏହାର ସୁଫଳ ଲୋକଙ୍କ ନିକଟରେ ପହଞ୍ଚିବା ନେଇ ବ୍ୟାପକ ସମୀକ୍ଷା କରିଥିଲେ। ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଯୋଜନାର ଫଳାଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିପାରିବ, ସେଥିପାଇଁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆନ୍ତରିକତା ଓ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି ସାମାଜିକ ସୁରକ୍ଷା ଯୋଜନା, ଭିନ୍ନକ୍ଷମ ସଶକ୍ତୀକରଣ ଏବଂ ଗ୍ରାମାଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହି ବୈଠକରେ ବିଭିନ୍ନ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ‘ଅନ୍ତୋଦୟ ଗୃହ ଯୋଜନା’ ଅଧୀନରେ ବିଶେଷ କରି ଭିନ୍ନକ୍ଷମ ଓ ନିର୍ଦ୍ଦିଷ୍ଟ କ୍ୟାଟେଗୋରୀର ହିତାଧିକାରୀଙ୍କ ପାଇଁ ନିର୍ମାଣାଧୀନ ଏବଂ ବକେୟା ଥିବା ଘରଗୁଡ଼ିକୁ ଅତି ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ମଧୁବାବୁ ପେନ୍ସନ୍ ଯୋଜନା, ବାଣୀଶ୍ରୀ ସ୍କଲାରସିପ୍, ବୃଦ୍ଧାଶ୍ରମ, ଭିକ୍ଷାବୃତ୍ତି ପୁନର୍ବାସ କେନ୍ଦ୍ର ‘ସହାୟ’ ଏବଂ ସେତୁ ବନ୍ଧନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରାଯାଇଥିଲା।
ଗ୍ରାମାଞ୍ଚଳରେ ‘ହର ଘର ଜଲ’ ଯୋଜନା ମାଧ୍ୟମରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ଏବଂ ‘ସ୍ୱଚ୍ଛ ଭାରତ ମିଶନ୍’ ଅଧୀନରେ ଗ୍ରାମଗୁଡ଼ିକୁ ପରିଷ୍କାର-ପରିଚ୍ଛନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ‘ହାଉସିଂ ଏବଂ ଅର୍ବାନ୍ ଡେଭେଲୋପମେଣ୍ଟ’ ବିଭାଗର ‘ଅମୃତ’ ସ୍କିମ୍ ଜରିଆରେ ସହରାଞ୍ଚଳ ଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ପଞ୍ଚସଖା ଶିକ୍ଷା ସେତୁ, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ‘ପିଏମ୍ ଶ୍ରୀ’ ସ୍କୁଲ୍ ଏବଂ ୨୦୨୬-୨୭ ବର୍ଷ ପାଇଁ ‘ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ’ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା।
ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ଓ ମମତା ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ‘ସୁଭଦ୍ରା ଯୋଜନା’ରେ ସଫଳତାର ସହ ୪ଟି କିସ୍ତି ପ୍ରଦାନ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଏହା ସହିତ ଅଙ୍ଗନବାଡ଼ି କୋଠା ନିର୍ମାଣର ସ୍ଥିତି, ପିଏମ୍ ଜନମନ୍ ଏବଂ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଜନଜାତିଙ୍କ ବିକାଶ ପାଇଁ ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’, ‘ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ’, ‘ପିଏମ୍ ଅନୁସୂଚିତ ଜାତି ଅଭ୍ୟୁଦୟ ଯୋଜନା’ ଏବଂ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ‘ମାଧୋ ସିଂ ହାତଖର୍ଚ୍ଚ ଯୋଜନା’ର ସମୀକ୍ଷା କରାଯାଇଥିଲା।
‘ଶ୍ରୀ ଅନ୍ନ ଅଭିଯାନ’ (ମିଲେଟ ମିସନ୍), ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’, କୃଷକମାନଙ୍କୁ ସୁବିଧାରେ ଋଣ ପ୍ରଦାନ ଏବଂ ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ‘ପିଏମ୍ ବିଶ୍ୱକର୍ମା’ ଯୋଜନା, ଏସ.ଏଫ୍.ୟୁ.ଆର୍.ଟି.ଆଇ. (ସ୍ଫୁର୍ତ୍ତି) କ୍ଲଷ୍ଟର, ଟିପିଏନଓଡିଏଲ ଦ୍ୱାରା ‘ପିଏମ୍ ସୂର୍ଯ୍ୟ ଘର’ ଯୋଜନାର ସ୍ଥିତି ଏବଂ କେନ୍ଦୁଝର ଜିଲ୍ଲାରେ ଗ୍ରୀଡ୍ (ସୌର) ବିଦ୍ୟୁତୀକରଣ କାର୍ଯ୍ୟ ସହ ଆପତ୍ତି ଅଭିଯୋଗ ସମାଧାନ ପ୍ରକ୍ରିୟାର ସମୀକ୍ଷା କରାଯାଇଥିଲା।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଶାଲ ସିଂହ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍.ଏଫ୍.)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ରିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗାଭୂଷଣ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ମାଝୀ, କେନ୍ଦୁଝର ଉପଜିଲ୍ଲାପାଳ ଉମାଶଙ୍କର ଦଳାଇଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର କର୍ମଚାରୀମାନେ ଉପସ୍ଥିତ ଥିଲେ।