ତାଳସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ‘ମୋ ଗାଁ ରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ।

କୋଦଳା,୧୯/୦୩(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ‘ମୋ ଗାଁରେ ତହସିଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଟକ, ଓ ଏଲ୍ ଆର୍, ୮ ଏ ପ୍ରଭୃତି ସୁବିଧା ଯୋଗାଇବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଲୋକମାନେ ରାଜସ୍ବ ବିଭାଗର ସମସ୍ତ ସେବା ଯେପରି ନିଜ ପଂଚାୟତରେ ପାଇପାରିବେ ଏବଂ ରାଜସ୍ବ ବିଭାଗରେ ସମସ୍ତ ମାମଲା ଗୁଡିକର ତ୍ବରିତ ଫଇସଲା କରାଯିବ ସେଥିପାଇଁ ୫ଟି ଉପରେ ଗୁରୁତ୍ୱ ଦିଆଯାଇଥିବା ସହ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଆଜି ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ଗ୍ରାମ ପଞ୍ଚାୟତ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ। ଏଥିଯୋଗୁଁ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି କୋଦଳା ତହସିଲଦାର ଅବନୀ କୁମାର ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ତହସିଲଦାର, ଅତିରିକ୍ତ ତହସିଲଦାରଙ୍କ ସମେତ ସରପଞ୍ଚ ଚନ୍ଦ୍ରମା ଜାନି, ଷଣ୍ଢମୂଳ ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଦାଶ , ଅମିନ ସନ୍ତୋଷ କୁମାର ସେଠୀ,ଡିଇଓ କେଦାର ମହାନ୍ତି, ସିନିୟର କ୍ଲର୍କ ରବିନ୍ଦ୍ର ବେହେରା, ଚିନ୍ମୟୀ ବେହେରା, ଅନିତା ନାୟକ, ରେକର୍ଡ ରକ୍ଷକ ଜଗନ୍ନାଥ ପଟ୍ଟନାୟକଙ୍କ ସମେତ କୋଦଳା ତହସିଲର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )

Comments (0)
Add Comment