ଭଞ୍ଜନଗର, ୦୮/୦୩(ପିପିଟି):ଭଞ୍ଜନଗର ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ଶନିବାର ସ୍ଥାନୀୟ କୋର୍ଟ ପରିସରରେ ଥିବା ଭଂଜନଗର ବାର ଆସସିଏସନର ଲାଇବ୍ରେରୀ ହଲ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ତାଲୁକ୍ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ ଦେବଦତ୍ତ ପଟ୍ଟନାୟକ ଯୋଗ ଦେଇ ସମାଜରେ ଜଣେ ମହିଳାଙ୍କ ଆଇନଗତ ଅଧିକାର ବାବଦରେ କହିଥିଲେ।ଏହା ସହ ଘରୋଇ ହିଂସା ଓ ଯୌତୁକ ନିର୍ଯାତନା ନିରୋଧ ଆଇନ ବାବଦରେ କହିବା ସହ ନୁତନ ଭାରତୀୟ ନ୍ୟାୟ ସଂହିତାରେ ଥିବା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ବାବଦରେ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ କହିଥିଲେ।
ବରିଷ୍ଠ ଦେଓ୍ବାନୀ ଜଜ୍ ଦେବାଶିଷ ବିଷୋୟୀ ଶିଶୁ ମାନଙ୍କୁ ଦିଆଯାଉଥିବା ଯୌନ ନିର୍ଯାତନା ଓ ଏହାର ଦଣ୍ଡ ବିଧାନ ବାବଦରେ କହିଥିଲେ।ଏହା ସହ ସଭ୍ୟ ସମାଜରେ ଜଣେ ଶିଶୁ କିଭଳି ଯୌନ ନିର୍ଯାତନାରୁ ରକ୍ଷା ପାଇ ପାରିବ ଓ ଶିଶୁ ମାନଙ୍କ ପ୍ରତି ସାଧାରଣ ଲୋକଙ୍କ କର୍ତ୍ତବ୍ୟ ବାବଦରେ କହିଥିଲେ।ଏସଡିଜେଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି ବେଆଇନ ଲିଙ୍ଗ ନିରୁପଣ,ଭୃଣ ହତ୍ୟା ଓ ଏ ସଂକ୍ରାନ୍ତରେ ଥିବା ଆଇନଗତ ଦିଗ ବାବଦରେ କହିଥିଲେ।ସେହିଭଳି ଜେଏମଏଫସି ଶୁଶ୍ରୀ ଭିଏନା ନାୟକ ମହିଳା ଙ୍କ ପାଇଁ ଉଦ୍ଦିଷ୍ଟ ଘରୋଇ ହିଂସା ଆଇନ ବାବଦରେ ବୁଝାଇଥିଲେ।ସମାଜରେ ଜଣେ ମହିଳା କିଭଳି ସୁରକ୍ଷିତ ରହିବା ସହ ନିଜର ଅଧିକାରକୁ କିଭଳି ସାବ୍ୟସ୍ତ କରି ପାରିବେ ସେ ବାବଦରେ ଜେଏମଏଫସି ଶୁଶ୍ରୀ ନାୟକ କହିଥିଲେ। ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର,ପୁର୍ବତନ ଓକିଲ ସଂଘ ସଭାପତି ଅଭିମନ୍ୟୁ ଗୌଡ,ତାଲୁକ ଆଇନ ସେବା କମିଟି ସଦସ୍ୟ ଡ଼.ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ,ବରିଷ୍ଠ ଆଇନଜୀବୀ ରବି ଦାସ ପ୍ରମୁଖ ଆନ୍ତର୍ଜାତୀୟ ମହିଳା ଦିବସର ତାପର୍ଯ୍ୟ ବିଷୟରେ କହିବା ସହ ସମାଜରେ ମହିଳା ସମ୍ମୁଖିନ ହେଉଥିବା ବିଭିନ୍ନ ଅସୁବିଧା ଓ ତାର ପ୍ରତିକାର ବାବଦରେ କହିଥିଲେ।ତାଲୁକ୍ ଆଇନ ସେବା କମିଟି ସଦସ୍ୟା ଅଳକା ମଞ୍ଜରୀ ପଟ୍ଟନାୟକ ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ଆଞ୍ଚଳିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ଅନ୍ୟାନ୍ୟ ମହିଳା ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। କୋର୍ଟ କର୍ମଚାରୀ ଆଦିତ୍ୟ ନାରାୟଣ ରଥ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)