ତାରସିଂ ପୁଲିସର ସଫଳତା; ଘାଟି ପଲି ଡକାୟତି ଘଟଣାରେ ଜଣେ ଗିରଫ ।

ଭଞ୍ଜନଗର, ୦୯/୦୭(ପିପିଟି):ତାରସିଂ ଥାନା ଅନ୍ତର୍ଗତ କୁଡୁତେଇ ପଞ୍ଚାୟତ ଘାଟି ପଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ରିରେ ସଶସ୍ତ୍ର ଡକାୟତି ଘଟିଥିଲା। ଲୁଟେରା ମାନେ ନବୀନ କୁମାର ନାୟକଙ୍କ ଘରୁ ୬ଲକ୍ଷ ଟଙ୍କା ଓ ୧୫ଭରି ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ।ଏହି ଘଟଣା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ଫଳରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣେ ଲୁଟେରାକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା।ସେ ହେଉଛି ଓଡ଼ଗାଁ ଥାନା ଅଞ୍ଚଳର ଜିତେନ୍ଦ୍ର ଡାକୁଆ ଓରଫ ମୁନା। ତଦନ୍ତ ବେଳେ ତା ନିକଟରୁ ପୁଲିସ ୯୦ହଜାର ଟଙ୍କା ଜବତ କରିଛି।ଆଜି ଗିରଫ ହୋଇଥିବା ମୁନାକୁ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଅନ୍ୟ ଅପରାଧି ମାନଙ୍କୁ ଧରିବା ପାଇଁ ପୁଲିସର ଦୁଇଟି ସ୍ୱତନ୍ତ୍ର ଟିମ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି।ଉକ୍ତ ରାତିରେ ୬ଜଣ ଡକାୟତ ଗ୍ରାମର ଜଣେ ଚାଷୀ ନବୀନ କୁମାର ନାୟକଙ୍କ ଘରେ ପଶି ଖଣ୍ଡା, ଭୁଜାଲି ଓ ପିସ୍ତଲ ଦେଖାଇ ପରିବାର ଲୋକଙ୍କୁ ଭୟଭୀତ କରି ଗୋଟିଏ ଘରେ ପୁରାଇ ବାହାରୁ କବାଟ ବନ୍ଦ କରି ଦେଇଥିଲେ।ଏହାପରେ ନବୀନ ଜମି କିଣିବା ପାଇଁ ଆଲମୀରାରେ ରଖିଥିବା ନଗଦ ୬ଲକ୍ଷ ୪୦ହଜାର ଟଙ୍କା ସମେତ ୧୫ଭରି ସୁନା ଗହଣା ଦୁର୍ବୁତ୍ତମାନେ ଲୁଟି ନେଇ ପଳେଇଥିଲେ।ଏସମ୍ପର୍କରେ ନବୀନ ତାରସିଂ ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ ନଂ ୨୨୩/୨୩ରେ ଏକ ମାମଲା ରୁଜୁ କରିଥିଲା।ଛତ୍ରପୁରରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆସି ଘଟଣା ସ୍ଥଳରେ ପହଞ୍ଚି ଛାନ୍ ଭିନ୍ କରି ଫେରିଥିଲା।

ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ

Comments (0)
Add Comment