ତପ୍ତପାଣି ଘାଟି ଠାରେ ବସ ଦୁର୍ଘଟଣା, ଚିକିତ୍ସା ଖର୍ଚ୍ଚ ସରକାର ବହନ କରୁଛନ୍ତି ।

ଦିଗପହଣ୍ଡି,୧୬/୧୦(ପିପିଟି); ଗତ ତା-୧୫/୧୦/୨୦୨୦ରିଖ ରାତ୍ର ୯:୧୫ମି ସମୟରେ ଏକ ହାଇଟେକ୍ ବସ ନମ୍ବର-OR-02-BS-0268 ୪୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ତପ୍ତପାଣି ଘାଟି ଠାରେ ୨୦ଫୁଟ ତଳକୁ ଖସି ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲା । ପ୍ରକାଶ ଥାଉକି ଅଧିକାଂଶ ଛାତ୍ରଛାତ୍ରୀ ମୋହନା, ରା.ଉଦୟଗିରି, ରାୟଗଡ଼ା ବ୍ଲକରୁ ଓଜେଇଇ ପରୀକ୍ଷା ନିମନ୍ତେ ଯାଉଥିଲେ । ତନ୍ମଧ୍ୟରୁ ୨୫ ଜଣ ଛାତ୍ରଛାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ । ଆହତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ପାଟପୁର ପୋଲିସ ମାଧ୍ୟମରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା । ସେଥିମଧ୍ୟରୁ ଆହତ ୧୧ଜଣ ଛାତ୍ରଛାତ୍ରୀ ସୁସ୍ଥହୋଇ ଘରକୁ ଫେରିଥିଲେ । ଗୁରୁତର ଆହତ ୧୪ ଜଣ ଛାତ୍ରଛାତ୍ରୀଙ୍କୁ ଏମ.କେ.ସି.ଜି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏମ.କେ.ସି.ଜି ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇଥିବାବେଳେ ଅନ୍ୟ ୧୦ଜଣ ସର୍ଜରୀ ବିଭାଗରେ ଚିକିତ୍ସାଧିନ ଥିବାବେଳେ ଦୁଇ ଜଣଙ୍କୁ ଅର୍ଥପେଡ଼ୀକ୍ ବିଭାଗରେ ଚିକିତ୍ସିତ ହେଉଛନ୍ତି । ମେଡ଼ିକାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଚିକିତ୍ସିତ ହେଉଥିବା ସମସ୍ତ ଆହତ ଛାତ୍ରଛାତ୍ରୀ ବିପଦ ମୁକ୍ତ ଅଛନ୍ତି । ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟସରକାର ବହନ କରୁଥିବାବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗେଇଦିଆଯାଉଛି । ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ ସୁସ୍ଥ ଛାତ୍ରଛାତ୍ରୀ ମାନଙ୍କୁ ଘରକୁ ଫେରାଇ ଅଣାଯାଇଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ସେଠାରେ ରହି ସମସ୍ତ କାର୍ଯ୍ୟକୁ ତଦାରଖ କରୁଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Comments (0)
Add Comment