ତଥାକଥିତ ସାମାଜିକ କର୍ମୀଙ୍କ ନାଆଁ ରେ ହତ୍ୟା ଉଦ୍ୟମ ଅଭିଯୋଗ : ଥାନାରେ ଏତଲା ଦେଲେ ସ୍ତ୍ରୀ ।

ସୁକିନ୍ଦା,୧୧/୦୭(ପିପିଟି)::ସୁକିନ୍ଦା ଥାନା ମୂଳଖମ୍ବ ଗାଁ ର ଜନୈକ ମହିଳା ତାଙ୍କୁ ତାଙ୍କ ସ୍ଵାମୀ ଗଳା ଚିପି ହତ୍ୟା ଉଦ୍ୟମ କରୁଥିବାର ଅଭିଯୋଗ ଆଣିଛନ୍ତି ।ଆଜି ସୁକିନ୍ଦା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଏହି ଥାନା ଅନ୍ତର୍ଗତ ମୂଳଖମ୍ବ ଗାଁ ର ସୋନିଆ ପାତ୍ର ଗତ ୧୦ ତାରିଖ ପୂର୍ବ ରାତି ପ୍ରାୟ ୧ଟା.୪୫ ମି ସମୟରେ ନିଜର ଦୁଇ ଛୁଆ ଙ୍କୁ ଧରି ଶୋଇଥିବା ସମୟରେ ତାଙ୍କ ସ୍ଵାମୀ ବିଶ୍ଵନାଥ ପାତ୍ର ଘର ଭିତରକୁ ପଶି ଆସିଥିଲେ। ସେ ସୋନିଆଙ୍କ ମୁଣ୍ଡରେ ବନ୍ଧୁକ ଲଗେଇ ଧମକ ଦେବା ସହିତ ତାଙ୍କ ତଣ୍ଟି ଚିପି ମାରି ଦେବାକୁ ଉଦ୍ୟମ କରିଥିଲେ। ବହୁ କଷ୍ଟ ରେ ସେ ସ୍ବାମୀଙ୍କ କବଳରୁ ଖସି ଆସି ପାଟି କରିବାରୁ ପରିବାର ଲୋକେ ପହଞ୍ଚି ଯାଇଥିଲେ। ପରିବାର ଲୋକଙ୍କୁ ଦେଖି ବିଶ୍ଵନାଥ ନିଜ ମୋଟର ସାଇକେଲରେ ସେ ସ୍ଥାନରୁ ଫେରାର ହେଇ ଯାଇଥିଲେ। ଯିବାବେଳେ ସୋନିଆ ଘରେ ରଖିଥିବା ୪୩୦୦ ଟଙ୍କା ନେଇ ପଳେଇ ଥିଲେ। ସୋନିଆ ଶଙ୍କ ଏତଲା ଅନୁସାରେ ବିଶ୍ଵନାଥ, ସୋନିଆ ନାବାଳକ ଥିବାବେଳେ ତାଙ୍କ ସହିତ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ।ପରେ ଭୟଭୀତ କରାଇ ଓ ଧମକ ଦେଇ ୨୩/୦୧/୨୦୧୩ ରେ ଯାଜପୁର ରୋଡ ରେ ଜଣେ ନୋଟରୀ ଙ୍କ ପାଖରେ ବିବାହ କରିଥିବାର ଏକ ଆଫିଡେଭିଟ କରିଥିଲେ। ବିଶ୍ଵନାଥଙ୍କ ଔରସରୁ ୩ ଗୋଟି ସନ୍ତାନ ହେବା ପରେ ସେ ସୋନିଆ କୁ ଗାଁରେ ଛାଡି ଦେଇ ଯାଜପୁର ରୋଡ ରେ ଅନ୍ୟ ଏକ ଯୁବତୀ କୁ ବିବାହ କରି ରହୁଛନ୍ତି। ବିଶ୍ଵନାଥ ତାଙ୍କୁ ଅନେକ ଥର ଶାରୀରିକ,ମାନସିକ ଓ ଯୌତୁକ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଛନ୍ତି ସୋନିଆ। ଦୁଃଖ କଷ୍ଟ ରେ ନିଜ ତିନି ଛୁଆଙ୍କୁ ଧରି ଗାଁରେ ରହୁଥିବା ବେଳେ ବିଶ୍ଵନାଥ ବଡ ଝିଅ କୁ ଜୋର ଜବରଦସ୍ତ କରି ଯାଜପୁର ରୋଡ ନେଇ ତା ଦ୍ଵାରା ଘରର ସମସ୍ତ କାମ କରାଉଛନ୍ତି। ବଡ଼ ଝିଅକୁ ଆଣିବାକୁ ଉଦ୍ୟମ କରିବାରୁ ବିଶ୍ଵନାଥ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଜୀବନ ରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି।ବିଶ୍ଵନାଥ ପାତ୍ର ନିଜକୁ କେତେବେଳେ ଜଣେ ସାମ୍ବାଦିକ ପୁଣି କେତେବେଳେ ଦଳିତ ନେତା,ଆଉ କେତେବେଳେ ମାନବ ଅଧିକାର କର୍ମୀ ତ ପୁଣି କେତେବେଳେ ସିଭିଲ ସୋସାଇଟି ସମ୍ପାଦକ ଭାବେ ପରିଚୟ ଦେଇ ସମସ୍ତଙ୍କୁ ଭୁଆଁ ବୁଲେଇ ଚାଲିଛି। ତେବେ ସ୍ଥାଣୁ ପାଲଟି ଯାଇଥିବା ସୁକିନ୍ଦା ପୋଲିସ ଏ ଏତଲା କୁ ପଞ୍ଜିକରଣ କରି ଭାରତୀୟ ନ୍ୟାୟ ସଂହିତାର କେଉଁ ଧାରା ଅନୁଯାୟୀ କି କାର୍ଯ୍ୟାନୁଷ୍ଠାନ ନେଉଛି ଓ ନିରୀହ ଦଳିତ ମହିଳାକୁ କି ପ୍ରକାର ନ୍ୟାୟ ଦେଉଛି ତାହା ଦେଖିବାକୁ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

Comments (0)
Add Comment