ଢୁଙ୍କାପଡାରେ ଦୂଷିତ ପାନୀୟଜଳ ଯୋଗାଣ;ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ଆଶଙ୍କା।

ପୋଲସରା,୦୧/୦୭(ପିପିଟି):ପୋଲସରା ବ୍ଲକ ଅନ୍ତର୍ଗତ ଢୁଙ୍କାପଡା ଠାରେ ଦୂଷିତ ପାନୀୟଜଳ ଯୋଗାଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି। ରାଜ୍ଯ ସରକାର ବସୁଧା ଯୋଜନାରେ ଗ୍ରାମ ମାନଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କାର୍ଯ୍ଯ କରୁଛନ୍ତି। ଢୁଙ୍କାପଡା ରେ ପାହାଡ ଉପରେ ଗୋଟିଏ ପାଣି ଟାଙ୍କି ନିର୍ମାଣ ହୋଇ ପାନୀୟଜଳ ଯୋଗାଣ ହେଉଥିବା ବେଳେ ଅନ୍ଯ ଗୋଟିଏ ନୂତନ ପାଣି ଟାଙ୍କି ନିର୍ମାଣ ଚାଲିଛି। ପାଣି ଟାଙ୍କି ଓ ପାଇପ୍ ଗୁଡିକର ରକ୍ଷଣାବେକ୍ଷଣ ହେଉନଥିବାରୁ ଦୂଷିତ ପାନୀୟଜଳ ଯୋଗାଣ ହେଉଛି। ଦୂଷିତ ପାନୀୟଜଳ ପିଇବା ଦ୍ବାରା ଟାଇଫଏଡ ଜ୍ଜର,କୋଲେରା, ଡାଇରିଆ,ହେପାଟାଇଟିସ- ଏ,ସାଲମୋନେଲା ଭଳି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏହିଭଳି ଦୂଷିତ ପାନୀୟଜଳ ଯୋଗାଣ ନେଇ ସ୍ଥାନୀୟ ନେତା ସଚେତନ ନୁହଁନ୍ତି। ବିଭାଗୀୟ ଯନ୍ତ୍ରୀ ମଧ୍ଯ ଜାଣି ଅଜଣା ଭଳି ରହୁଛନ୍ତି। ଢୁଙ୍କାପଡା ହେଉଛି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ଗାଁ। ଏହି ପଞ୍ଚାୟତରେ ଦୁଇଜଣ ଅଗ୍ରଣୀ ନାରୀ ନେତ୍ରୀ ଅଛନ୍ତି, ବିଜେପିର ରାଜ୍ଯ ଉପସଭାପତି ଅନିତା ଶୁଭଦର୍ଶନୀ ଏବଂ ପୂର୍ବତନ ଶ୍ରେଷ୍ଠ ସରପଞ୍ଚ ତଥା ବିଜେଡି ନେତ୍ରୀ  ଆରତୀ ଦେବୀ। ଏହି ଦୁଇଜଣ ରାଜନୀତି ଓ ସୋସିଆଲ ମିଡିଆରେ ସକ୍ରିୟ। ବିଧାୟକ ଓ ସାଂସଦ ପ୍ରାର୍ଥୀ ପାଇଁ  ଏହି ଦୁଇ ମହିଳା ନେତ୍ରୀ ଲବିରେ ଅଛନ୍ତି। ଢୁଙ୍କାପଡା ଓଡ଼ିଶା ରାଜନୀତିରେ ଏକ ପରିଚିତ ପଞ୍ଚାୟତ। ଦୀର୍ଘ ବର୍ଷ ଧରି ପୋଲସରା ଜନତା ଦଳ ଓ ବିଜେଡି କ୍ଷମତାରେ ରହିଆସିଛନ୍ତି। ତଥାପି ପଞ୍ଚାୟତରେ ପାନୀୟଜଳ ଜଳ ସମସ୍ଯା, ମନରେଗା ରେ ଦୁର୍ନୀତି ଭଳି ପ୍ରସଙ୍ଗ ରହିଛି। ବିରୋଧିଦଳ ନିଷ୍କ୍ରିୟ। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦୈନଦିନ ବିଭିନ୍ନ ପଞ୍ଚାୟତ ବୁଲି କାର୍ଯ୍ଯକ୍ରମରେ ଯୋଗ ଦେବା ସହିତ ବିଭିନ୍ନ ସମସ୍ଯା ବୁଝୁଛନ୍ତି। ଢୁଙ୍କାପଡା ଠାରେ ଦୂଷିତ ପାନୀୟଜଳ ଯୋଗାଣ ସମ୍ପର୍କରେ ଦୃଷ୍ଟି ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Comments (0)
Add Comment