ଢାବା କର୍ମଚାରୀଙ୍କୁ ଗଳାକାଟି ହତ୍ୟା; ସାଇଣ୍ଟିଫିକ ଟିମର ତଦନ୍ତ : ଜଣେ ଅଟକ ।

ବାଣପୁର,୨୬/୦୩ : ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥର ଖଡିକାପଲ୍ଲୀ ନିକଟ ଏକ ଢାବା ଭିତରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଢାବାରେ କାର୍ଯ୍ୟରତ ଜଣେ ଭିନ୍ନକ୍ଷମ କର୍ମଚାରୀଙ୍କ ଗଳା କାଟି ଜଘନ୍ୟ ଭାବେ ହତ୍ୟା କରାଯାଇଛି । ଢାବାରେ କାର୍ଯ୍ୟରତ ଅନ୍ୟ ଜଣେ କର୍ମଚାରୀକୁ ଅଟକ ରଖି ସାଇଣ୍ଟିଫିକ ଟିମ ସାହାଯ୍ଯରେ ତଦନ୍ତ ଚଳାଇଛି ପୁଲିସ । ତେବେ କଥା କହିପାରୁନଥିବା ଜଣେ ମୂକ ଯୁବକଙ୍କୁ କିଏବା କାହିଁକି ଏପରି ଜଘନ୍ୟ ଭାବେ ଗଳାକାଟି ହତ୍ୟା କରିଛି ତାହା ଆଲୋଚନାର ବିଷୟ ପାଲଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
ବୁଧବାର ରାତିରେ ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଖଡିକାପଲ୍ଲୀ ନିକଟରେ ଥିବା ପଣ୍ଡା ଢାବାରେ କାର୍ଯ୍ୟରତ ଜଣେ ମୂକ ଯୁବ କର୍ମଚାରୀ ପପୁ ଦଳବେହେରା (୨୩)ଙ୍କ ଗଳା କାଟି ହତ୍ୟା କରି ନିକଟରେ ଥିବା ଏକ ବିଲରେ ପିଙ୍ଗି ଦିଆଯାଇଛି । ବାଣପୁର ଥାନା ଏକଡାଳିଆ ଗ୍ରାମର ପପୁ ଦଳବେହେରା ଓ ମଙ୍ଗରାଜପୁରର ଶାନ୍ତନୁ ପ୍ରଧାନ ଦୁଇଜଣ ଦୁଇମାସ ହେବ ଢାବାରେ କାମ କରୁଥିଲେ । ଗତକାଲି ମଧ୍ୟରାତ୍ରିରେ ଢାବା ବନ୍ଦ ହେବାପରେ ଦୁଇଜଣ ଏକାଠି ଢାବା ଭିତରେ ଶୋଇଥିଲେ । ତେବେ ଗୁରୁବାର ଭୋର ସମୟରେ ଶାନ୍ତନୁ ଢାବା ମାଲିକଙ୍କୁ ଜଣାଇଥିଲା କି ପପୁ କୁଆଡେ ନାହିଁ । ଢାବା ମାଲିକ ମନୋରଞ୍ଜନ ବେହେରା ତୁରନ୍ତ ଆସି ଖୋଜା ଖୋଜି କରିବାପରେ ନିକଟରେ ଥିବା ଏକ ବିଲ ଗହିରରୁ ପପୁର ଚେତା ଶୂନ୍ୟ ରକ୍ତାକ୍ତ ଶରୀର ଉଦ୍ଧାର କରି ବାଲୁଗାଁ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ତେବେ ପପୁର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଜଣାଇଥିଲେ । ଏନେଇ ବାଲୁଗାଁ ଥାନାରେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯିବାରେ ପୁଲିସ ୧୧୬/୨୬ ନମ୍ବରରେ ଏକ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ବାଲୁଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ରାତିରେ ପପୁ ସହିତ ଶୋଇଥିବା ଅନ୍ୟ ଜଣେ କର୍ମଚାରୀକୁ ଥାନାକୁ ନେଇ ପଚରା ଉଚରା ଚଳାଇଛି । ଅପରାହ୍ନରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ôଚ ଅଧିକ ତଦନ୍ତ କରିଛି । ତେବେ ପ୍ରାଥମିକ ତଦନ୍ତରୁ ରାତି ଅନ୍ଧକାରରେ ଢାବା ଭିତରେ ପପୁର ଗଳାକାଟି ହତ୍ୟା କରି ନିକଟରେ ଥିବା ବିଲରେ ଫିଙ୍ଗି ଦିଆ ଯାଇଥିବା ଅନୁମାନ କରାଯାଉଛି । ଢାବା ଭିତରେ ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡିଥିବାରୁ ଢାବାରେ ହିଁ ପପୁକୁ ହତ୍ୟା କରାଯାଇ ଥିବା ସନ୍ଦେହ ଦୃଢିଭୂତ ହେଉଛି । ତେବେ ଜଣେ କଥା କହିପାରୁନଥିବା ଯୁବକକୁ କିଏ ଏବଂ କାହିଁକି ଏଭଳି ଜଘନ୍ୟ ଭାବରେ ହତ୍ୟା କରିଛି ତାର କାରଣ ପୁଲିସ ଖୋଜୁଥିବା ବେଳେ ତଦନ୍ତ ପରେ ହତ୍ୟାର ରହସ୍ୟ ଉନ୍ମୋଚିତ ହେବ ବୋଲି ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି ।

Comments (0)
Add Comment