ଡ୍ରେନ ପୋତି ହୋଇଯିବାରୁ ରାସ୍ତାରେ ନିଷ୍କାସିତ ହେଉଛି ବର୍ଷାଜଳ।

ବୋଲଗଡ଼,୨୫/୦୭(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସଦର ମହକୁମା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ଉପରେ ନିଷ୍କାସିତ ହେଉଛି ବର୍ଷାଜଳ।ରାସ୍ତାପାର୍ଶ୍ବରେ ଥିବା ଡ୍ରେନ ପୋତି ହୋଇଯାଇଥିବା କାରଣରୁ ବସଷ୍ଟାଣ୍ଡ ବଜାର ଅଞ୍ଚଳ ରୁ ତହସିଲ କାର୍ଯ୍ୟାଳୟ,ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏହି ଅପରିଷ୍କାର ବର୍ଷାଜଳ ବର୍ଷା ଛାଡିବା ଦୁଇ ଘଣ୍ଟା ଯାଏ ସହର ଉପକଣ୍ଠ ଧାନଗହୀର ପର୍ଯ୍ୟନ୍ତ ପଶ୍ଚିମ ରୁ ପୂର୍ବଦିଗରେ ବୋହିଚାଲିଛି।ଏହିସମୟରେ ରାସ୍ତା ରେ ଯାତାୟାତ କରୁଥିବା ଛାତ୍ରୀଛାତ୍ର,କର୍ମଚାରୀ ଓ ଅନ୍ୟମାନେ ଅସୁବିଧା ଭୋଗୁଛନ୍ତି।ଦୀର୍ଘ ଏକ ମାସ ହେବ ମୌସୁମୀର ସକ୍ରିୟତା ତଥା ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ଏହି ବାଟ ଦେଇ ଯାଉ ଥିବା ବହୁ ବୋଲବମ୍ ଭକ୍ତମାନେ ମଧ୍ୟ ହଇରାଣ ହେଉଛନ୍ତି।ଏହି ସମସ୍ୟାର କାରଣ ସାଜିଥିବା ପୋତିହୋଇ ଯାଇଥିବା ଡ୍ରେନ ବର୍ଷବର୍ଷଧରି ସଫେଇ କିମ୍ବା ମରାମତି ହେଉ ନଥିବାବେଳେ ବଜାରଅଞ୍ଚଳର କେତେକବ୍ୟବସାୟୀ ମାନେ ଏହାକୁ ଡଷ୍ଟବିନ ପରି ବ୍ୟବହାର କରୁଛନ୍ତି।ଡ୍ରେନ ମଧ୍ୟରେ ବର୍ଜ୍ୟ ଚାହା କପ୍,ଜରି,କାର୍ଟୁନ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଗଦାଇ ନିଆଁ ଲଗାଇ ପୋଡୁ ଥିବା ଦେଖାଯାଉଛି।ଡ୍ରେନର ଅନେକ ସ୍ଥାନ ମୁକୁଳା ଥିବାବେଳେ ଏହାମଧ୍ୟରେ ପଙ୍କକାଦୁଆ ଓ ଗୁଳ୍ମଲତା ଭରିରହିଛି।ଏହାକୁ ସଫେଇ କରାଯାଉନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବ୍ୟବସାୟୀଙ୍କୁ ସଚେତନ ଓ ପଙ୍କୋଦ୍ଧାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment