ମାଲକାନଗିରି,୨୧/୦୮(ପିପିଟି): ବିପିଏଲ କାର୍ଡଧାରୀଙ୍କୁ କେନ୍ଦ୍ର ତଥା ରାଜ୍ଯ ସରକାର ବିଭିନ୍ନ ଯୋଜନାରେ ସାମିଲ କରି ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ଲାଗି ପ୍ରଚେଷ୍ଟା ଜାରି ରଖିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଜଣେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀ ନାମରେ ବିପିଏ କାର୍ଡ କରାଯାଇ ଗରିବ ଲାଗି ଉଦ୍ଦିଷ୍ଟ ଯୋଜନା ହଡପ କରୁଥିବା ଘଟଣା ଲୋକଲୋଚନକୁ ଆସିଛି, ଯାହାକି ଜଣେ ପ୍ରଶାସନିକ ଅଧିକାରୀଙ୍କ ସ୍ତ୍ରୀ ଏପରି କରିବା ନିଶ୍ଚୟ ଏକ ଲଜ୍ଜାଜନକ ଘଟଣା କହିଲେ ଅତ୍ଯୁକ୍ତି ହେବ ନାହିଁ ।ଧନ୍ୟ ତୁମେ ସରକାର ଧନ୍ୟ ତୁମ ପ୍ରଶାସକ ଗରିବଙ୍କ ପାଇଁ ହେଉଥିବା ଯୋଜନା କିଭଳି ପ୍ରଭାବଶାଳୀ ଲୋକଙ୍କ ଦ୍ୱାରା ହଡ଼ପ ହୁଏ ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଚଞ୍ଚକତା କରି ସରକାରୀ ସୁବିଧା ପାଉଥିବା ବେଳେ ଖୋଦ ରାଜ୍ୟ ସରକାରଙ୍କ ଏକ ଉଚ୍ଚ ପଦସ୍ଥ ଅଧିକାରୀ ନିଜ ପତ୍ନୀଙ୍କ ନାମରେ ବିପିଏଲ କାର୍ଡ କରାଇ ପୌର ପରିଷଦରେ ଖଜଣା ଫାଙ୍କିବା ପାଇଁ ଏଭଳି ଚଞ୍ଚକତା କରିଥିବା ଘଟଣା ସାମ୍ନାକୁ ଆସିଛି । ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳୀନ ବିଭାଗରେ ସହକାରୀ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲଲିତ ମଣ୍ଡଳ ନାମକ ଅଧିକାରୀଙ୍କ ସ୍ତ୍ରୀଙ୍କ ନାମରେ ଏହି ବିପିଏଲ କାର୍ଡଟି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ତେବେ ମୁନିସିପାଲିଟି ଲ୍ୟାଣ୍ଡ ରାଇଟ ଆକ୍ଟ-୨୦୧୭ ଅନୁସାରେ ଜମି ପଟ୍ଟା ପ୍ରଦାନ ପାଇଁ ଏହି ବିପିଏଲ କାର୍ଡକୁ ବ୍ୟବହାର କରି ସରକାରଙ୍କୁ ଖଜଣା ଫାଙ୍କିଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ଯେଉଁ ଲୋକେ ସରକାରୀ ଜାଗାରେ ରହି ଆସୁଛନ୍ତି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ମୁନିସପାଲଟି ଲ୍ୟାଣ୍ଡ ରାଇଟ ଆକ୍ଟ-୨୦୧୭ ଅନୁସାରେ ଜମି ପଟ୍ଟା ପ୍ରଦାନ କରାଯିବା ଲାଗି ବ୍ଯବସ୍ଥା କରାଯାଇଥିଲା । ତେବେ ଏହି ପଟ୍ଟା ପାଇଁ ବିପିଏଲ କାର୍ଡଧାରୀଙ୍କୁ ପ୍ରାୟ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବା ବେଳେ ଆର୍ଥିକ ସ୍ଵଚ୍ଛଳ ଲୋକଙ୍କୁ ଏହି ପ୍ରମାଣ ପତ୍ର ପାଇଁ ପ୍ରାୟ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡିଥାଏ । ମାଲକାନଗିରି ପୌର ପରିଷଦରେ ମଧ୍ୟ ଏହି ନିୟମ ଅନୁଯାୟୀ ଅନେକ ଲୋକେ ପଟ୍ଟା ପାଇଛନ୍ତି । ଏହି ଅଧିକ ଖଜଣା ଦେବାରୁ ବର୍ତ୍ତିବା ପାଇଁ ଲଳିତ ମଣ୍ଡଳଙ୍କ ସ୍ତ୍ରୀ ବିନତା ରାଣୀ ମଣ୍ଡଳଙ୍କ ନାମରେ ଚଞ୍ଚକତା କରି ବିପିଏଲ କାର୍ଡ କରାଇ ସେହି କାର୍ଡ ମାଧ୍ୟମରେ ନିଜ ଅଧୀନରେ ଥିବା ସରକାରୀ ଜାଗାର ପଟ୍ଟା ପାଇବା ପାଇଁ ମାଲକାନଗିରି ମୁନସିପାଲଟି କାର୍ଯ୍ଯାଳୟରେ ଆବେଦନ କରିଥିଲେ । ତେବେ ଅତି ଚତୁରତା ସହିତ ବିନତାରାଣି ମଣ୍ଡଳ ନିଜ ବିପିଏଲ କାର୍ଡରେ ସ୍ବାମୀଙ୍କ ନାମ ରହିବା ନିୟମ ଥିବା ବେଳେ ସେଠାରେ ସେ ତାଙ୍କ ପିତାଙ୍କ ନାମ ବିମଲ ମଣ୍ଡଲ ବୋଲି କାର୍ଡ ନମ୍ବର ୨୧୦୯୧୩୧୧୪୦୦ ରେ ଉଲ୍ଲେଖ କରିଛନ୍ତି ।ଆବେଦନକୁ ଭିତ୍ତି କରି ଏବଂ ବିପିଏଲ କାର୍ଡ ଥିବାରୁ ତାଙ୍କୁ ସ୍ୱଳ୍ପ ଖଜଣାରେ ସେହି ଜମିରଟ୍ଟା ପ୍ରମାଣ ପତ୍ର ମିଳି ଯାଇଥିଲା । ସହକାରୀ ଜିଲ୍ଲାପାଳ ସ୍ତ୍ରୀଙ୍କ ନାମରେ କିଭଳି ରୂପେ ବିପିଏଲ କାର୍ଡ ହେଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ଯେ ସହକାରୀ କଲେକ୍ଟରଙ୍କ ପତ୍ନୀ ଶ୍ରୀମତୀ ମଣ୍ଡଳଙ୍କ ନାମରେ ଜାରି ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଉଛି । ଅନ୍ଯପକ୍ଷରେ ବିନା ତଦନ୍ତରେ କିପରି ଯୋଗଣ ବିଭାଗର ଅଧିକାରୀମାନେ ଜଣେ ଡେରୁଟି କଲେକ୍ଟରଙ୍କ ସ୍ତ୍ରୀ ନାମରେ ବିପିଏଲ କାର୍ଡ ପ୍ରଦାନ କରୁଛନ୍ତି, ତାହା ଗୁରୁତର ଅପରାଧ କହିଲେ ଚଳେ । ଅନ୍ଯପକ୍ଷରେ ଜଣେ ଗରିବ ଲୋକଙ୍କୁ ବିପିଏଲ କାର୍ଡ ଖଣ୍ଡେ ପାଇବା ପାଇଁ ସରକାରୀ କାର୍ଯ୍ଯାଳୟକୁ ଦୌଡି ଦୌଡି ଚପଲ ଘୋରିଗଲେ ମଧ୍ଯ ମିଳିବା କାଠିକର ପାଠ ହେଉଥିବା ବେଳେ ବର୍ତ୍ତମାନ ମାଲକାନଗିରି ଜିଲ୍ଲାପାଳ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା । ତେବେ ବନତା ରାଣୀ ମଣ୍ଡଳ ମାଲକାନଗିରି ପୌରପରିଷଦର ୱାର୍ଡ ନଂ:୧୫ ରିକ୍ଲାମେସନ କଲୋନୀ ସ୍ଥିତ ଟିନା ଗ୍ଯାରେଜ ଘର ନଂ ୧୫୮ରେ ୪୮୪.୦୦ ବର୍ଗ ଫୁଟ ଜମି ଅର୍ଥ ନୈତିକ ଦୁର୍ବଳ ଶ୍ରେଣୀ ବୋଲି ଦର୍ଶାଇ ହଡପ କରିଥିବା ଜଣା ପଡିଛି । ଅନ୍ଯପକ୍ଷେ ତା:୭.୧.୨୦୨୧ରେ ବିନତା ରାଣୀ ମଣ୍ଡଳ ଏକ ସତ୍ଯପାଠରେ ସ୍ବାମୀଙ୍କ ନାମ ସ୍ପଷ୍ଟ ଭାବରେ ଲଳିତ ମଣ୍ଡଳ ଦର୍ଶାଇଥିଲେ ମଧ୍ଯ ପୌରପରିଷଦ ଅଧିକାରୀ କିପରି ଏହି ଘର ପଟା ପ୍ରଦାନ କଲେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହା ବ୍ଯତୀତ ୨୮.୨୩ ବର୍ଗ ଫୁଟ ଅଧିକା ଜମି ନିଜ ଅକ୍ତାୟାରରେ ରଖିଥିଲେ ମଧ୍ଯ ବିନତାରାଣୀ ମଣ୍ଡଳ ପୌରପରିଷଦକୁ ଫେରସ୍ତ ଦେଉନଥିବା ବେଳେ ତାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର କିପରି ଦିଆ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)