ମାଲକାନଗିରି,୨୫/୦୫(ପିପିଟି); ସୋମବାର ରାତି ୧୦ଟା ୩୦ ମିନିଟ ସମୟରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସିଲେରୁ ନଦୀରେ ଦୁଇଟି ଡଙ୍ଗା ବୁଡ଼ିଯିବା ଫଳରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୭ ଜଣ ନିଖୋଜ ଥିବା ଜଣା ପଡିଛି। ପ୍ରାପ୍ତ ସୂଚନା ଅନୁଯାୟୀ,ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାବେଡା ଏବଂ କନ୍ଧଗୁଡା ଗାଁର ୩ ବର୍ଷର ବାଳିକା ସମେତ ମୋଟ ୧୧ ଜଣ ବ୍ୟକ୍ତି ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ। କୋଭିଡ୍ -୧୯ ପ୍ରତିବନ୍ଧକକୁ ଦେଖି ସେମାନେ ଦୁଇଟି ମାଛ ମରା ଡଙ୍ଗାରେ ସିଲେରୁ ନଦୀ ପାର ହୋଇ ନିଜ ଗ୍ରାମ ଗୁଣ୍ଠାବେଡା ଓ କନ୍ଧଗୁଡାକୁ ଫେରୁଥିଲେ । ଗୋଟିଏ ଡଙ୍ଗା ନଦୀ ଗର୍ଭରେ ଏକ ଗଛ ଖୁଣ୍ଟରେ ଧକ୍କା ହେବା ଫଳରେ ଡଙ୍ଗାଟି ଭାରସାମ୍ଯ ହରାଇ ନଦୀ ସ୍ରୋତରେ ବୁଡ଼ି ଯାଇଥିଲା ଏବଂ ସେହି ଡଙ୍ଗାଟି ବୁଡି ଯିବା ପରେ ଯାତ୍ରୀମାନେ ପହଁରି ପହଁରି ଆସି ଅନ୍ଯ ଡଙ୍ଗା ଉପରକୁ ପ୍ରାଣ ବିକଳରେ ଉଠି ଯାଇଥିଲେ । ଫଳରେ ସେହି ଡଙ୍ଗାଟି ମଧ୍ଯ ଓଜନ ସମ୍ଭାଳି ନ ପାରି ନଦୀରେ ବୁଡି ଯାଇଥିଲା । ୩ ଜଣ ଲୋକ ସନ୍ତରଣ କରି କନ୍ଧଗୁଡା ଗାଁରେ ପହଞ୍ଚି ଡଙ୍ଗା ବୁଡି ଯାଇଥିବା ଖବର ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। ସୂଚନା ପାଇବା ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ରାଜସ୍ବ ନିରିରୀକ୍ଷକ ନାରାୟଣ ମହାରଣା ଏବଂ ଗ୍ରାମବାସୀ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ, ଓଡ୍ରାଫ ଟିମ୍ କୁ ସୂଚନା ଦେବା ପରେ ନଦୀରେ ଖୋଜା ଖୋଜି ସେମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ କେବଳ ୩ ବର୍ଷର ନାବାଳିକାର ମୃତଦେହକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି । ଅନ୍ଯ ୭ ଜଣ ବ୍ଯକ୍ତି ବର୍ତ୍ତମାନ ପର୍ଯ୍ଯନ୍ତ ନିଖୋଜ ରହିଥିବା ଜଣା ପଡିଛି। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇଜଣ ଗୁଣ୍ଠାବେଡାର ହୋଇଥିବା ବେଳେ ଅବଶିଷ୍ଟ ଲୋକ କନ୍ଧଗୁଡାର ବୋଲି ଜଣା ପଡିଛି।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)