ଡଙ୍କାରୀ ଖାଦାନ ରେ ୩ଜଣ ଶ୍ରମିକ ମୃତ୍ୟୁ ଘଟଣା ।

ଯାଜପୁର,୨୧/୦୯(ପିପିଟି):ରାଜ୍ୟରେ ଚର୍ଚ୍ଚା ରେ ଥିବା ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ବିବାଦୀୟ ଡ଼ଙ୍କାରୀ କଳାପଥର ଖାଦନ ରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଲୁଟ ର ମୁଖ୍ୟ ପୁରୋଧା ଲିଜଧାରୀ ଶ୍ରୀବାସ ଜେନା। ଯାହାଙ୍କ ପାଇଁ ଧର୍ମଶାଳା ତହସିଲ ରାଜ୍ୟରେ ଉଠୁଛି ପଡୁଛି।ଦୀର୍ଘ ୨୪ବର୍ଷ ଧରି ବିଜେଡି ସରକାର ସମୟରେ ଡଙ୍କାରୀ ଲୁଟ ହୋଇଥିବା ବେଳେ ଏବେ ବି ଲୁଟର ସାହଣ ମେଲା ଚାଲିଛି । ଚେଇଁ ଶୋଇଥିବ ଯିଏ, ନା ତାକୁ ଉଠେଇବ କିଏ ନ୍ୟାୟରେ ମାଫିଆ ରାଜନେତା ପ୍ରଶାସନ ର ସଲା ସୁତୁରା ରେ ହରିଲୁଟ ହେଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଲିଜଧାରୀ ନାରାୟଣ ରାଉତଙ୍କ ଚର୍ଚ୍ଚା।ଗତ କିଛି ଦିନ ତଳେ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।ଯାହାକୁ ନେଇ ଲିଜ୍‌ଧାରୀ ନାରାୟଣ ରାଉତଙ୍କ ଉପରେ ୭ କୋଟି ୩୮ ଲକ୍ଷ ୪୨ ହଜାର ୮୧୮ ଟଙ୍କା ଜରିମାନା ନୋଟିସ ହୋଇଛି। ସେଥିମଧ୍ୟରୁ ଲଘୁ ଖଣିଜ ଉପନିର୍ଦ୍ଦେଶକଙ୍କ ପକ୍ଷରୁ ୩ କୋଟି ୮୧ ଲକ୍ଷ ୩୯ ହଜାର ୭୨୫ ଟଙ୍କା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ପରିବେଶ କ୍ଷତିପୂରଣ ବାବଦକୁ ୩ କୋଟି ୫୭ ଲକ୍ଷ ୩ ହଜାର ୯୩ ଟଙ୍କା ରହିଛି। ଏଥି ସହିତ ଲିଜ୍‌ଧାରୀଙ୍କ ବିରୋଧରେ ଜେନାପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ଡାଇରେକ୍ଟର ଜେନେରାଲ ମାଇନ୍ସ ସେଫ୍‌ଟି(ଡିଜିଏମ୍‌ଏସ୍‌)ଙ୍କ ଦ୍ୱାରା ଦୁଇ ଦିନ ଧରି ତଦନ୍ତ କରିବା ପରେ ଆଇନ ଅନୁସାରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ପଥର ଖାଦାନ ଲିଜ୍‌ଧାରୀମାନଙ୍କୁ ନୋଟିସ ଦିଆଯାଇଛି। ଏହି ଶ୍ରମିକ ମୃତ୍ୟୁ ଘଟଣାରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜଟି)ରେ ୧୪୭/୨୦୨୪/ଇଜେଡରେ ହୋଇଥିବା ମାମଲା ଉପରେ ଲଘୁ ଖଣିଜ ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକ ଏଭଳି ୨୧ ଦଫା ସମ୍ବଳିତ ସତ୍ୟପାଠ ବୁଧବାର ଦାଖଲ କରିଛନ୍ତି।

ସୂଚନା ଥାଉକି ଏନ୍‌ଜିଟିରେ ହୋଇଥିବା ଅଭିଯୋଗ ଅନୁଯାୟୀ, କଳାପଥର ଖାଦାନ ଗୁଡ଼ିକରେ ୨୦୧୭ରେ ୧୦ ଜଣ, ୨୦୧୮ରେ ୧୪ ଜଣ ଓ ୨୦୨୩-୨୪ରେ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତେବେ ଡଙ୍କାରୀ ପାହାଡ଼ ଧସି ଶ୍ରମିକଙ୍କ ମୃତ୍ୟୁ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା।ଯାହାକୁ ନେଇ ସେତେବେଳେ ଅନେକ ତୁମ୍ବୀ ତୋଫାନ ହୋଇଥିଲା। ଡଙ୍କାରୀ ପାହାଡ଼ର ଖାତା ନମ୍ବର ୨୨୧, ପ୍ଲଟ୍‌ ନମ୍ବର ୬୦୦(ପି)ର ୪ ଏକର ଜମିରେ କଳାପଥର ଉତ୍ତୋଳନ ପାଇଁ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ ଅନୁମତି ମିଳିଥିଲା। ଏହାବାଦ୍‌ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଉପଯୁକ୍ତ ଭାବେ ନିରୀକ୍ଷଣ ନ କରି ୧୮/୦୪/୨୦୨୪ରେ କନ୍‌ସେଣ୍ଟ ଟୁ ଅପରେଟ(ସିଟିଓ) ପ୍ରଦାନ କରାଯାଇଥିଲା। ଲିଜ୍‌ଧାରୀ ଅନୁମତିଠାରୁ ବହୁ ଗୁଣ ଅଧିକ କଳାପଥର ଉତ୍ତୋଳନ କରିବା ସହ ବ୍ଲାଷ୍ଟିଂ, ଓଭରଲୋଡ୍‌ ଗାଡ଼ି ପରିବହନ ଯୋଗୁ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଅତ୍ୟଧିକ ବାୟୁ ପ୍ରଦୂଷଣ ସୃଷ୍ଟି ହେଉଥିଲା ବୋଲି ଦର୍ଶା ଯାଇଛି। ଏହାବାଦ୍‌ ଏହି ଖାଦାନ ନିକଟରେ ଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏଥିପାଇଁ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହି ମାମଲାକୁ ନେଇ ଏନ୍‌ଜିଟି ପକ୍ଷରୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଥିଲା। ଏହି କ୍ରମରେ ଲଘୁ ଖଣିଜ ବିଭାଗ ପକ୍ଷରୁ ହୋଇଥିବା ସତ୍ୟପାଠରେ ୧୬/୦୫/୨୦୨୪ ତାରିଖ ସକାଳେ ଡଙ୍କାରୀ ପାହାଡ଼ର ବିଏସକ୍ୟୁ ନମ୍ବର ୫/୧୦ରେ ଅତଡା ଧସିଥିଲା। ସେଠାରୁ ୩ ଜଣ ଶ୍ରମିକଙ୍କ ମୃତଦେହ ମିଳିଥିଲା। ଏହାପରେ ଜେନାପୁର ଥାନାରେ ଖଣି ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଯାଜପୁର ଉପଜିଲ୍ଲାପାଳ ସେଠାରେ ୧୪୪ ଧାରା ଜାରି କରିଥିଲେ। ଏହାପରେ ଖଣି ବିଭାଗ ପକ୍ଷରୁ ଟି.କେ.ଏସ୍‌ କନ୍‌ସଲଣ୍ଟାସି ଏଜେନ୍ସି ଦ୍ୱାରା ୧୭/୦୫/୨୦୨୪ରେ ଡ୍ରୋନ ସର୍ଭେ ହୋଇଥିଲା। ଏହି ଏଜେନ୍ସି ପକ୍ଷରୁ ଦାଖଲ ହୋଇଥିବା ସର୍ଭେ ରିପୋର୍ଟରେ ୭୯୯୯୯.୪୧ ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଜଣାପଡିଥିଲା। ଏହି ରିପୋର୍ଟକୁ ଆଧାର କରି ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଉପରୋକ୍ତ ପରିମାଣର ଜରିମାନା ଦାଖଲ କରିବାକୁ ୧୭/୦୮/୨୦୨୪ରେ ନିର୍ଦ୍ଦେଶ ହୋଇଛି। ଏହାବାଦ୍‌ ଉକ୍ତ ଘଟଣା ଉପରେ ସବିଶେଷ ତଦନ୍ତ ରିପୋର୍ଟ ଧର୍ମଶାଳା ତହସିଲଦାର ଏବଂ ଲଘୁ ଖଣିଜ ବିଭାଗ ଦ୍ୱାରା ଜିଲାପାଳଙ୍କ ନିକଟରେ ଦାଖଲ କରାଯାଇଛି। ଏହାବାଦ୍‌ କଳାପଥର ଖାଦାନ ଦ୍ୱାରା ପ୍ରଭାବିତ ଅଭିଯୋଗ ହେଉଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସତ୍ୟପାଠ ଦାଖଲ ହୋଇଛି।ଅନ୍ୟପଟେ ସମସ୍ତ କଳାପଥର ଖାଦାନର ସୁରକ୍ଷା ପାଇଁ ଡିଜିଏମ୍‌ଏସ୍‌ ପକ୍ଷରୁ ତଦନ୍ତ କରାଯାଇଛି। ସମସ୍ତ କଳାପଥର ଖାଦାନରେ ଜଣେ ଲେଖାଏ ମାଇନ୍ସ ମ୍ୟାନେଜର ନିଯୁକ୍ତି ବିନା କାର୍ଯ୍ୟ ହୋଇପାରିବ ନାହିଁ ଏବଂ ଅନୁମତି ନ ଥିଲେ କଳାପଥର ଖାଦାନରେ ବ୍ଲ୍ଳାଷ୍ଟିଂ ହୋଇ ପାରିବ ନାହିଁ ଭଳି ଅନେକ ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇଥିବାର ଯାଜପୁର ଲଘୁ ଖଣିଜ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପୂର୍ବରୁ ଡ଼ଙ୍କାରୀ କଳାପଥର ଖାଦାନ ରେ ବେଆଇନ ଅନୁମୋଦନ ଠାରୁ ଢେର ଗୁଣା ଖନନ ନେଇ ଲିଜଧାରୀ ଶ୍ରୀବାସ ଜେନାଙ୍କ ଉପରେ ୫୯କୋଟି ଏବଂ ଜୋତ୍ସ୍ନା ଜେନା ଙ୍କ ଉପରେ ୭୯କୋଟି ଟଙ୍କା ଜରିମାନା ଏବେ ସୁଦ୍ଧା ଅନାଦେୟ ପଡିଥିବା ବେଳେ ପୁନଃ ଲିଜଧାରୀ ନାରାୟଣ ରାଉତ ଙ୍କ ଉପରେ ୭କୋଟି ଟଙ୍କା ଜରିମାନା କେବଳ କାଗଜପତ୍ର ରେ ଫାଇଲ ତଳେ ସିମିତ ରହିଯିବନି ତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

(ରିପୋର୍ଟ- ଅକ୍ଷୟ କୁମାର ରାଉତ।)

Comments (0)
Add Comment