ଡଃ ସଦାଶିବ ତ୍ରିପାଠୀଙ୍କ ୧୧୪ତମ ଜୟନ୍ତୀ ପାଳିତ ।

ମାଲକାନଗିରି,୨୧/୦୪(ପିପିଟି):ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ୧୧୪ତମ ଜୟନ୍ତୀ ଉତ୍ସବ ମାଲକାନଗିରି ସ୍ଥିତ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ଠାରେ ପାଳିତ ହୋଇଯାଇଛି । ସେ ରାଜନୀତି କ୍ଷେତ୍ରରେ ବିରଳ ବ୍ୟକ୍ତିତ୍ଵ ଥିଲେ। ସେବା ମନୋବୃତ୍ତି ନେଇ ଉତ୍ସର୍ଗୀକୃତ ଭାବେ ଓଡ଼ିଶାର ରାଜନୈତିକ ଇତିହାସକୁ ସେ ଗୌରବମୟ କରିଥିଲେ। ତାଙ୍କର ନିଃସ୍ଵାର୍ଥପର ସମାଜସେବା ତଥା ଅସୀମ ଦେଶଭକ୍ତି ତଥା ମାନବୀୟ ମୂଲ୍ୟବୋଧଭିତ୍ତିକ କାର୍ଯ୍ୟକଳାପ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଡ଼ଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ଅବସରରେ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏହି ଜିଲ୍ଲାସ୍ତରୀୟ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଯୋଗ ଦେଇ କହିଥିଲେ ଯେ ଓଡ଼ିଶା ରାଜନୀତିରେ ସଦାଶିବ ତ୍ରିପାଠୀଙ୍କ ଘଟଣା ବହୁଳ ଜୀବନ ଏକ ନିଷ୍କଳଙ୍କ ଅଧ୍ୟାୟ। ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟାପକ ସରୋଜ କୁମାର ଦାସ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ବାଗତ ଭାଷଣ ପ୍ରଦାନ ଅବସରରେ କହିଥିଲେ ଯେ ସଦାଶିବ ତ୍ରିପାଠୀ ଶିକ୍ଷା,ଭିତ୍ତିଭୂମି ଓ ଶିଳ୍ପର ବିକାଶ,ଭୂଦାନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ଚିର ଅମର ହୋଇ ରହିବେ। ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ସଭାପତି ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ମହାରଣା ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସାମୂହିକ ବନ୍ଦନା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର କର୍ମଚାରୀ,ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment