ଡଃ ବି ଆର ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ସମାରୋହ ।

ପୋଲସରା,୧୪/୦୪(ପିପିଟି): ଗଞ୍ଜାମ ଜିଲ୍ଲା ଭାରତ ରତ୍ନ ଡଃ ବି ଆର ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ପୋଲସରା ବ୍ଳକ ଅନ୍ତର୍ଗତ ହାତୀଓଟ ଠାରେ ପ୍ରଥମ ଆଇନ ମନ୍ତ୍ରୀ ତଥା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି । ସ୍ମୃତି ସଂସଦର ସ୍ଥାୟୀ ସଭାପତି ତଥା ବରିଷ୍ଠ ଆଇନଜୀବି କେ ସୁବ୍ରମଣ୍ୟମ ରାଓଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଯାଇଛି । ବର୍ଷିୟାନ ସଂଗଠକ ବାସୁଦେବ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଖିଳ ଭାରତ କୁର୍ମି ମହାସଭାର ସଂରକ୍ଷକ ତଥା ବାଗ୍ମୀ ବଂଶୀଧର ନାୟକ ସଭାକୁ ଉଦଘାଟନ କରିବା ସହ ଅତି ଶାଣିତ ବକ୍ତବ୍ୟରେ ଆମ୍ବେଦକରଙ୍କ ଜୀବନୀ ଓ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଜାତିପ୍ରଥା ବିଲୋପ ଆନ୍ଦୋଳନର ଜିଲ୍ଲା ଆବାହକ ଶଙ୍କର ସାହୁ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଆମ୍ବେଦକରଙ୍କ ମୂଳ ଆହ୍ବନ ହେଉଛି ଶିକ୍ଷିତ ହୁଅ, ସଂଗଠିତ ହୁଅ, ସଂଘର୍ଷ କର ଏବଂ ଜାତି ପ୍ରଥାକୁ ଧ୍ଵଂସ କର ଏହାକୁ ଆମର ମୂଳ ମନ୍ତ୍ର କରିବାକୁ ହେବ ବୋଲି ପ୍ରକାଶ କରିଥିଲେ । ବାମସେଫର ପୂର୍ବତନ ଜିଲ୍ଲା ସଭାପତି ଅଭିମନ୍ୟୁ ନାହକ, ସମ୍ମାନିତ ଅତିଥି ନିରଞ୍ଜନ ଦାଶ, ସାଧାରଣ ସମ୍ପାଦକ ଅମର ନାହକ, ଗଙ୍ଗାଧର ସେଠି, ଅଶୋକ କୁମାର ରଣା, ମଙ୍ଗୁଳୁ ନାହକ ଆଦି ବକ୍ତବ୍ୟ ରଖିଥିଲେ । ଗଞ୍ଜାମ ଜିଲ୍ଲାର ବହୁ ଅଞ୍ଚଳରୁ ଏଥିରେ ଯୋଗ ଦେଇଥିଲେ । ସ୍ମରଣିକା ପ୍ରକାଶ କରିବା ପାଇଁ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି ।ନିରାକାର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment