ଠିକାଦାରଙ୍କ ପାଖରେ ବନ୍ଧା ପଡିଛି ସଂସ୍କୃତି ଭବନ।

ହିଞ୍ଜିଳିକାଟୁ,୨୪/୦୩(ପିପିଟି); ବିଭିନ୍ନ ସମୟରେ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଠିକାଦାର ମାନେ ବିଭିନ୍ନ ସରକାରୀ କୋଠାକୁ ନିଜସ୍ଵ ଘର ପରି ଦଖଲରେ ରଖିବା ଦେଖିବାକୁ ମିଳେ। କିନ୍ତୁ ହିଞ୍ଜିଳିକାଟୁରେ ଏହି ପରି ଏକ ଘଟଣା ସମସ୍ତ ସହନଶୀଳତାକୁ ଟପିଯାଇଥିବା ଭଳି ଅନୁଭବ ହେଉଛି। ସ୍ଥାନୀୟ କନକଦୁର୍ଗା ମାର୍ଗରେ ଥିବା ସଂସ୍କୃତି ଭବନର ନିର୍ମାଣ କାର୍ଯ୍ୟ ବହୁଦିନ ହେଲା ସମାପ୍ତ ହୋଇଥିବା ବେଳେ ତାହା ଏବେ ମଧ୍ୟ ଠିକାଦାରଙ୍କ କବ୍ଜାରେ ଥିବା ଦେଖିବାକୁ ମିଳିଛି। ପୂର୍ତ୍ତ ବିଭାଗ ତରଫରୁ ନିର୍ମାଣ କରାଯାଇଥିବା ଏହି ଗୃହ ଜନୈକ ଠିକାଦାର ତାଙ୍କ ପ୍ରବାସୀ ଶ୍ରମିକଙ୍କ ଆବାସସ୍ଥଳରେ ପରିଣତ କରିଛନ୍ତି। ଏଠାରେ ଉକ୍ତ ଠିକାଦାର ନିଜ ଠିକା ନିର୍ମାଣ କାର୍ଯ୍ୟର କଞ୍ଚାମାଲ ସିମେଣ୍ଟ, ଖାଡିର ଗୋଦାମ ଘର ଭଳି ମଧ୍ୟ ବ୍ୟବହାର କରୁଛନ୍ତି । ପାଖାପାଖି ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲା ଏହାର ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲେ ମଧ୍ୟ ଏଯାଏଁ କିପରି ଠିକାଦାର ଏହାକୁ ନିଜ କର୍ତ୍ତୃତ୍ତ୍ୱରେ ରଖିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିବା ସହ ପୌର ପରିଷଦ-ଠିକାଦାର ପ୍ରୀତିକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ ହସ୍ତାନ୍ତରଣ ପ୍ରକ୍ରିୟା ପରେ ବର୍ଷେରୁ ଉର୍ଦ୍ଧ୍ବ କାଳ ନିଜ ଦଖଲରେ ରଖିଥିବା ଠିକାଦାରଙ୍କ ଠାରୁ ବଜାର ମୂଲ୍ୟରେ ଭଡା ଆଦାୟ କରାଯିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ତୁରନ୍ତ ଏହାକୁ ଠିକାଦାରଙ୍କ ଦଖଲରୁ ମୁକ୍ତ କରାଯାଇ ଜନ କଲ୍ୟାଣ ପାଇଁ ଖୋଲାଯିବାକୁ ଦାବି ହେଉଛି ।
(ରିପୋର୍ଟ- ସାନ୍ତନୁ କୁମାର ବେହେରା ।)

Comments (0)
Add Comment