ଟ୍ରକ ଧକ୍କାରେ ଯୁବକ ଗୁରୁତର,ଟ୍ରକ ସହ ଡ୍ରାଇଭର ଅଟକ ।

ବେଲଗୁଣ୍ଠା,୬/୧୨(ପିପିଟି);ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବାଣତୁମ୍ବ ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକକୁ ପଛପଟୁ ଧକ୍କା ଦେବା ଫଳରେ ବାଇକର ପଛପଟେ ବସିଥିବା ଜଣେ ଯୁବକ ଗୁରୁବାର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ, ତାମନାଡ ଗ୍ରାମର ଗନ୍ଧର୍ବ ନାୟକଙ୍କ ପୁଅ ମାଧବ ନାୟକ ଓ ତାଙ୍କ ଦାଦା ମିଟୁ ନାୟକ ତାମନାଡରୁ କୌଣସି କାମରେ ଏକ ଟିଭିଏସ୍ ଆପାଚି ମୋଟର ସାଇକେଲରେ (ଓଡି୨୫କେ୧୯୮୧)ରେ ଭଞ୍ଜନଗର ଯାଉଥିଲେ । ମିଟୁ ବାଇକ୍ ଚଲାଉଥିବା ବେଳେ ମାଧବ ପଛପଟେ ବସିଥିଲେ । ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବ ଗ୍ରାମଠାରେ ଏକ ଟ୍ରକ (ଓଡି୦୪ପି୪୨୩୨) ଦ୍ରୁତ ଗତିରେ ଆସି ବାଇକର ପଛପଟୁ ଧକ୍କା ଦେବା ଫଳରେ ଦୁଇ ମିଟୁ ଓ ଗନ୍ଧର୍ବ ଛିଟିକି ହୋଇ ପଡିଥିଲେ । ମିଟୁ ସାମାନ୍ୟ ଆହତ ହୋଇଥିବା ବେଳେ ମାଧବ ଚେତାଶୁନ୍ୟ ହୋଇ ପଡିଥିଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ବେଲଗୁଣ୍ଠା ଅଗ୍ନିଶମ ବିଭାଗକୁ ଖବର ଦେବାରୁ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଯାଇ ଦୁହିଁଙ୍କୁ ଉଦ୍ଧାର କରି ନିଜ ଗାଡିରେ ଚିକିତ୍ସା ପାଇଁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ମିଟୁର ଚିକିତ୍ସା କରାଯାଇଥିବା ବେଳେ ମାଧବକୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ପଠାଇଥିବା ଜଣାପଡିଛି ।ଘଟଣା ଘଟାଇ ଟ୍ରକଟି ଦ୍ରୁତ ଗତିରେ ପଳାଇଯାଉଥିବା ବେଳେ ବେଲଗୁଣ୍ଠା ପୋଲିସ ପିଛା କରି ଟ୍ରକକୁ ଭଞ୍ଜନଗର ନିକଟରେ ଧରିଥିବା ଜଣାପଡିଛି । ବେଲଗୁଣ୍ଠା ଫାଣ୍ଡିରେ ଡ୍ରାଇଭର ଅଟକରହିଥିବା ସୂଚନା ମିଳିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Comments (0)
Add Comment