ବ୍ରହ୍ମପୁର,୧୨/୧୨(ପିପିଟି): ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ଦୁଇ ଦିନିଆ ୬ଷ୍ଠ ରାଜ୍ୟ ସମ୍ମିଳନୀ ସଫଳତାର ସହ ଆଜି ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀରେ ୨୩ ଜଣ ରାଜ୍ୟ ପରିଷଦ, ୧୧ ଜଣିଆ ରାଜ୍ୟ କମିଟି ନିର୍ବାଚିତ ହୋଇଛନ୍ତି। ରାଜ୍ୟ ସଭାପତି ବିଚିତ୍ର ପାତ୍ର ଏବଂ ରାଜ୍ୟ ସମ୍ପାଦକ କମ୍ରେଡ ଶଙ୍କର,ଉପସଭାପତି ଶଶୀରେଖା ବେହେରା, ସଂଗଠନ ସମ୍ପାଦକ ନଲୀନୀକାନ୍ତ ତ୍ରିପାଠୀ ଏବଂ କୋଷାଧ୍ୟକ୍ଷ ରାମଚନ୍ଦ୍ର ବାଡତ୍ୟା ନବ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀ ଶ୍ରମିକ ଆନ୍ଦୋଳନକୁ ସାମାଜିକ ଓ ରାଜନୀତିକ ସଂଘର୍ଷ ଆଡ଼କୁ ନେବା ଚିଠା ଦଲିଲରେ ଯେଉଁ ସ୍ବଷ୍ଟ ଦିଶା ପ୍ରଦାନ କରିଛି ତାକୁ ଅତି ଚମତ୍କାର ଢଙ୍ଗରେ ସର୍ବଭାରତୀୟ ସଂଯୋଜକ ଆର୍ ମାନସାୟା ସମ୍ମିଳନୀ ଗୃହରେ ଉପସ୍ଥାପନ କରିଥିଲେ। ଏହି ଚିଠା ଦଲିଲ ଉପରେ ବହୁ ଚର୍ଚ୍ଚା ହୋଇ ରାଜ୍ୟ ସମ୍ମିଳନୀ ପକ୍ଷରୁ ସମର୍ଥନ ପ୍ରଦାନ କରାଯାଇଛି ଏବଂ କେତେକ ମତାମତ ପ୍ରଦାନ କରି ସମୃଦ୍ଧ କରିବା ପାଇଁ ମତ ରଖାଯାଇଛି। ରାଜ୍ୟ ସଂଯୋଜକ କମ୍ରେଡ ଶଙ୍କର ରାଜ୍ୟ ସାଂଗଠାନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ଏହି ଚର୍ଚ୍ଚାରେ ବହୁ ସଂଖ୍ୟାରେ ପ୍ରତିନିଧି ଓ ପର୍ଯ୍ୟବେକ୍ଷକ ସାମିଲ ହୋଇ ରାଜ୍ୟରେ ଏକ ସାଲିସବିହୀନ ଶ୍ରମିକ ସଂଘର୍ଷ କେନ୍ଦ୍ର ପାଇଁ ବହୁମତ ଉପସ୍ଥାପନ ଉପସ୍ଥାପନ କରିଥିଲେ। ହିନ୍ଦୁତ୍ୱ ଫାସିବାଦ ବିରୁଦ୍ଧରେ ସଂଘର୍ଷକୁ ଜୋରଦାର କରି ସାମ୍ବିଧାନିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ସମ୍ମିଳନୀ ଆହ୍ବାନ ଦେଇଛି। ୨୩ ଜଣ ପ୍ରତିନିଧି ଓ ୧୨ ଜଣ ପର୍ଯ୍ୟବେକ୍ଷକ ଆସନ୍ତା ଜାନୁୟାରୀ ୨୭ ରୁ ୨୯, ୨୦୨୪ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆର ୧୦ମ ସର୍ବଭାରତୀୟ ସମ୍ମିଳନୀକୁ ଚୟନ କରାଯାଇଛି। ପାଲେଷ୍ଟାଇନ ଉପରେ ଫାସିଷ୍ଟ ଆକ୍ରମଣ, ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ନାମରେ ସାମ୍ବିଧାନିକ ମୂଲ୍ୟବୋଧ କୁ ହତ୍ୟା କରିବା ନୀତିକୁ ଦୃଢ ନିନ୍ଦା କରି ରେଜୁଳେସନ ଗ୍ରହଣ କରାଯାଇଛି। ମଦକୁ ନିଷିଦ୍ଧ କରିବା, ରାଜ୍ୟରେ ମହିଳା ହିଂସା, ଆଦିବାସୀଙ୍କ ଅଧିକାର ରୁ ବଞ୍ଚିତ କରିବା, କେନ୍ଦୁପତ୍ର ତୋଳାଳୀଙ୍କ ଅଧିକାର ରୁ ବଞ୍ଚିତ କରିବା, ନୂତନ ପେନସନ ନୀତି ଓ ୧୧୬୦୦୦ ନିୟମିତ ହେବାକୁ ଥିବା ଆଉଟସୋର୍ସିଂ ଶ୍ରମିକଙ୍କ ପାଇଁ ସମୟୋଚିତ ପଦକ୍ଷେପ ନେବା ଆଦି ରେଜୁଳେସନ ସମ୍ମିଳନୀ ଗ୍ରହଣ କରିଛି। ଶେଷରେ ନବନିର୍ବାଚିତ ସଭାପତି ବିଚିତ୍ର ପାତ୍ର କର୍ପୋରେଟ ଫାସିବାଦ ଓ ଶ୍ରମିକ ବିରୋଧୀ ୪ ଟି ଶ୍ରମ ସଂହିତା ବିରୁଦ୍ଧରେ ଦୁର୍ବାର ଶ୍ରମିକ ଆନ୍ଦୋଳନ ଗଢି ତୋଳି ଦୈନିକ ୫ ଘଣ୍ଟାର କର୍ମ ଦିବସ ଏବଂ ୫ ଦିନିଆ ସାପ୍ତାହିକ କାର୍ଯ୍ୟଦିବସ, ମାସିକ ସର୍ବନିମ୍ନ ମଜୁରି ୩୧୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଶ୍ରମିକ ଆନ୍ଦୋଳନକୁ ତୀବ୍ର କରିବା ଆହ୍ବାନ ଦେଇ ଟିୟୁସିଆଇ ଲାଲ୍ ପତକା ଅବତରଣ କରାଯାଇଛି।