ଟିପିଏସଓଡିଏଲ ର ମନମୁଖୀ କାର୍ଯ୍ୟକୁ ନେଇ ଜବାବ ମାଗିବ ଓକିଲ ସଂଘ ।

ଭଞ୍ଜନଗର,୧୬/୦୯(ପିପିଟି): ଭଞ୍ଜନଗର ବିଦ୍ୟୁତ ବିଭାଗର ଦାୟୀତ୍ୱ ଟିପିଏସଓଡ଼ିଏଲ ଗ୍ରହଣ କରିବା ପରଠାରୁ ଆଖପାଖ ଅଞ୍ଚଳର ଉପଭୋକ୍ତା ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଉତ୍ତମ ସେବା ଯୋଗାଇବାରେ ଏହି ସଂସ୍ଥା ବିଫଳ ହୋଇ ଥିବାରୁ ଏବେ ଜନ ସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛି।ଦୈନନ୍ଦିନ ଜୀବନରେ ବିଦ୍ୟୁତ ସହିତ ପ୍ରତ୍ୟେକ କାର୍ଯ୍ୟ ଜଡ଼ିତ ଥିବା ବେଳେ ଗତ କିଛି ମାସ ହେଲା ଲଗାତାର ଦିନରାତି ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ ହେଉଛି।ଯାହା ଫଳରେ ବହୁ ସରକାରୀ କାର୍ଯ୍ୟ ଠାରୁ ଆରମ୍ଭ କରି ବ୍ୟବସାୟ,ଜଳ ଯୋଗାଣ ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପ୍ରଭାବିତ ହେଉଛି। ବିଦ୍ୟୁତ କାଟ ଯୋଗୁଁ ବହୁ କାମ ଅଧାରେ ଅଟକି ରହୁଛି।ହେଲେ ବିଦ୍ୟୁତ ବିଭାଗ ନିଜ ସ୍ୱାର୍ଥ ଦୃଷ୍ଟିରୁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଥିବା ବେଳେ ଲୋକଙ୍କ ଅସୁବିଧାକୁ ଗୁରୁତ୍ୱ ଦେଉ ନଥିବାରୁ ଉପଭୋକ୍ତାମାନେ ବିଦ୍ୟୁତ ବିଲ ବାବଦରେ ଅଧିକ ଅର୍ଥ ଦେଉଥିଲେ ମଧ୍ୟ ଉପଯୁକ୍ତ ସେବା ପାଇବାରେ ବଞ୍ଚିତ ହେଉଛନ୍ତି। ଏସବୁ ସମସ୍ୟାର ସମାଧାନ ପାଇଁ ଭଞ୍ଜନଗର ବାର ଆସୋସିଏସନ ଆଗେଇ ଆସିଛି।ଯାହାକୁ ନେଇ ସଂଘ ତରଫରୁ ଗୁରୁବାର ଏକ ଜରୁରୀ ବୈଠକ ସଭାପତି ସନ୍ତୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବା ସହ ଏହାର ସମାଧାନ ବିଷୟରେ ଆଲୋଚନା ହୋଇଥିଲା। ସର୍ବ ସମ୍ମତି କ୍ରମେ ଆସନ୍ତା ସୋମବାର ବେଳକୁ ଏସମ୍ପର୍କରେ ବିଦ୍ୟୁତ ବିଭଗ ଅଧିକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇ ତାହାକୁ ସାର୍ବଜନୀନ କରାଯିବା ପାଇଁ ସ୍ଥିର ହୋଇଛି। ଏହି ବୈଠକରେ ସଭାପତି ଶ୍ରୀ ନାୟକଙ୍କ ସମେତ ଆଇନଜୀବୀ ରଜତ କୁମାର କର,ରାଜେନ୍ଦ୍ର ପ୍ରଧାନ, ଏମ. ତାଜ ଆଦେନି, ଗୋପାଳ ବିଷୋୟୀ, ସମୀର ନାୟକ, ଅଶ୍ୱିନୀ ପାଣିଗ୍ରାହୀ, ଦଣ୍ଡପାଣି ସ୍ୱାଇଁ, ଜ୍ୟୋତିରାଜ ପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Comments (0)
Add Comment