ମାଲକାନଗିରି ,୨୫/୦୬(ପିପିଟି): ଭାରତୀୟ ଆୟୁର୍ବେଦିକ ଶାସ୍ତ୍ରରେ ଔଷଧୀୟ ଗୁଣ ବହନ କରୁଥିବା ଗୁଳ୍ମ ଲତା ଓ ବୃକ୍ଷ ମହତ୍ତ୍ଵ ସଦା ସର୍ବଦା ରହି ଆସିଛି। ତେବେ ଆଜିକାଲି ଆଧୁନିକ ଚିକିତ୍ସା ବିଜ୍ଞାନରେ ଏଲୋପାଥିକ ଚିକିତ୍ସାର ପ୍ରାଧାନ୍ୟତା ସର୍ବାଧିକ ପ୍ରଚାର ପ୍ରସାର ହେତୁ ଆୟୁର୍ବେଦିକ ଚିକିତ୍ସା ପଛରେ ପଡ଼ିଯାଇଛି। ଏହାର ଏକ ମାତ୍ର କାରଣ ହେବା ଜନ ସଚେତନତାର ଘୋର ଅଭାବ। ଏଲୋପାଥିକ ଚିକିତ୍ସାରେ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା ବେଳେ ଆୟୁର୍ବେଦିକ ଚିକିତ୍ସାଳୟରେ ଏହା ବିରଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିକାଲି ଯୁବପିଢି ଔଷଧୀୟ ଗୁଣ ବହନ କରୁଥିବା ଗୁଳ୍ମ ଲତା ବୃକ୍ଷ ସମ୍ପର୍କରେ ଅଜ୍ଞ। ଏଣୁ ପ୍ରକୃତି ପ୍ରେମୀ ସୁସାହିତ୍ୟିକ କେଶବ ଚନ୍ଦ୍ର ନାୟକ,୧୧୯ କଲୋନୀ, ମାଲକାନଗିରି ବାସିନ୍ଦା ବାରି ପଛ ପଟ ଟିକି ବଗିଚାରେ ଲଗାଇଛନ୍ତି କିଛି ଔଷଧୀୟ ଗଛ। ଏଥିରେ ସ୍ଥାନ ପାଇଛି ଗିଲୋଇ,ପସାରୁଣି, ତୁଳସୀ, ହଳଦୀ,ବ୍ରାହ୍ମୀ, ଅମରପୋଇ,ଘିକୁଆରୀ,ବେଲ,ଅଁଳା,ସର୍ପ ଦଂଶନକନ୍ଦା, ଅପରାଜିତା,ମନ୍ଦାର,କଲରା,ଗେଣ୍ଡୁ,ବିଷଲ୍ୟାକରଣୀ,ଲାଜକୁଳି, ଭୂଇଁ ଅଁଳା, ପିଜୁଳି,ଲେମ୍ବୁ,ଅମୃତଭଣ୍ଡା, କଦଳୀ,ଖମ୍ବ ଆଳୁ,ମୁନିଗା ଇତ୍ୟାଦି । ବର୍ତ୍ତମାନ ସେ ଅନ୍ୟାନ୍ୟ ଔଷଧୀୟ ଗଛ ସଂଗ୍ରହରେ ବ୍ୟସ୍ତ। ଏହା ବ୍ୟତୀତ ଶ୍ରୀ ନାୟକ ଦୀର୍ଘ ୩୦ ବର୍ଷ ହେଲା ବିଭିନ୍ନ ଅନୁଷ୍ଠାନଗୁଡିକରେ ବୃକ୍ଷରୋପଣ କରିବା ସହ ପରିବେଶ ଉପରେ ଜନ ସଚେତନତା କରିବା ତାଙ୍କର ମୂଳଲକ୍ଷ୍ୟ । ଜଙ୍ଗଲକୁ ଧ୍ବଂସ ନକରିବା, ଜଙ୍ଗଲରେ ନିଆଁ ନ ଲଗାଇବା, ଜଙ୍ଗଲରେ ପଶୁ ପକ୍ଷୀ ମାନଙ୍କୁ ଶିକାର ନ କରିବା ଉପରେ ଲୋକଙ୍କୁ ବୁଝାଇବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଛନ୍ତି।
ରିପୋର୍ଟ -କେଶବ ଚନ୍ଦ୍ର ନାୟକ