ଭଞ୍ଜନଗର,୧୨/୦୯(ପିପିଟି): କରୋନା ମହାମାରୀରେ ବହୁ ଲୋକ ଅଦିନରେ ପ୍ରାଣ ହରାଇଥିବା ବେଳେ ଏହାର ମୁକାବିଲା ପାଇଁ ସରକାରଙ୍କ ତରଫରୁ ଟିକାକରଣର ବ୍ୟବସ୍ଥା କରାଯାଇଛି।କିଭଳି ବିଭିନ୍ନ ବର୍ଗର ଲୋକେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉପକୃତ ହୋଇ ପାରିବେ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି।ଏହାର ପ୍ରମାଣ ସ୍ୱରୂପ ଟୀକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ବିଶେଷ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଯାହାଫଳରେ ସମସ୍ତଙ୍କ ପାଇଁ ଟିକା ନେବା ବାଧ୍ୟତାମୂଳକ ହୋଇ ପଡିଛି। ତେଣୁ ପର୍ଯ୍ୟାୟ କ୍ରମେ ଟିକାଦାନ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ କିଛି ଲୋକ ଅସାଧୁ ଉପାୟ ଅବଲମ୍ବନ କରି ଅନ୍ୟ ନାମରେ ପଞ୍ଜିକୃତ ଟିକା କୁ ନେଇ ସମସ୍ୟା ସୃଷ୍ଟି କରୁଛନ୍ତି।ଭଞ୍ଜନଗର ବ୍ଲକ ବଡ଼ କୋଦଣ୍ଡା ଗ୍ରାମର ନାରାୟଣ ପ୍ରଧାନଙ୍କ ପତ୍ନୀ ନମିତା ପ୍ରଧାନ (୪୧) ଗତ ୬ତାରିଖରେ ପ୍ରଥମ ଡୋଜ କୋଭାକ୍ସିନ ଟିକା ବାହାଡ଼ା ପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେବା ପାଇଁ ଅନ ଲାଇନ ରେ ନାମ ପଞ୍ଜିକରଣ କରିଥିଲେ। ହେଲେ ସେହିଦିନ ବର୍ଷା ହେବା ଯୋଗୁଁ ନମିତା ଟିକା ଦେବାକୁ ଯାଇ ପାରି ନଥିଲେ।ପୁଣିଥରେ ଶନିବାର ଦିନ ଏହି ଟିକା ନେବା ପାଇଁ ଅନ ଲାଇନରେ ଆବେଦନ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ।ଅନୁସନ୍ଧାନରୁ ଜଣାପଡିଲା ଯେ ଅନ୍ୟ କୌଣସି ବ୍ୟକ୍ତି ନମିତା ନାମରେ ଟିକା ନେଇଯାଇ ଥିବାରୁ ଏବେ ତାଙ୍କ ନାମରେ ସାର୍ଟିଫିକେଟ ଆସୁଛି।ତେଣୁ କିଏ ଏଭଳି ପରିସ୍ଥିତି ସୃଷ୍ଟି କରୁଛି ତାହା ଉପରେ ତଦନ୍ତ କରିବା ଜରୁରୀ ହୋଇପଡିଛି। କିଭଳି ନମିତା ବର୍ତ୍ତମାନ ଟିକା ପାଇବେ ତାହାକୁ ନେଇ ସେ ଚିନ୍ତାରେ ଅଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )