ଜୀବନ ଏକ ଅଧୁରା କବିତା

କେବେ କେବେ ଗୀତ ଗାଉ ଖୁସିରେ
ଆପଣା ଭିତରେ ଜନ୍ମ ନେଇଥିବା ଭାବକୁ ନେଇ…..
ଦୁଃଖ ଆଉ କଷ୍ଟକୁ ଦୂର କରେ କବିତା
ସାଙ୍ଗୀତିକ ସ୍ବର ସାଧନାକୁ ନେଇ…..!!
କବିତା ସେ ଲିଖିତ ହେଉ କି ଅଲିଖିତ ହେଉ
ଯାହା ସବୁ ଗୁଣୁଗୁଣାଏ କେଉଁ ମୁହୂର୍ତ୍ତରେ….
ସବୁ ଅନ୍ତର ଚେତନାକୁ ଜାଗ୍ରତ କରୁଥିବା ଶବ୍ଦ
ଝରିପଡ଼େ ଓଠରୁ କବିତା-ନିର୍ଝରେ…..!!
ମୋ କବିତା କିଏ ଶ୍ରବଣ କରୁ କି ନ କରୁ
ସେଥିରେ କିଛି ପ୍ରଶଂସା ସାଉଁଟିବାର ନାହିଁ…..
ମୋ କବିତା କିଏ ବୁଝୁ ଅବା ନ ବୁଝୁ
ମାତୃଭାଷାର କେବେ ଅନ୍ତ ହେବ ନାହିଁ….!!
ଜୀବନ ଏକ ଅଧୁରା କବିତା ପରି ଅଛିଣ୍ଡା ଗଣିତ
ମୃତ୍ୟୁ ପର୍ଯ୍ୟନ୍ତ ଶେଷ ହେବାର ନାହିଁ…..
ପୁନର୍ଜନ୍ମ ପାଇଁ କିଛି କିଛି ସଞ୍ଚିତ ହୁଏ ହୃଦୟରେ
ସେ କବିତା କେବେ ସରେ ନାହିଁ…..!!
କବିତା ବେଳେ ବେଳେ ଧରିତ୍ରୀରୁ ଆରମ୍ଭ ହୋଇ
ଅନନ୍ତ ଆକାଶରେ ପକ୍ଷୀ ପରି ଡେଣା ମେଲେ….
କବିତାର କେବେ ଅନ୍ତ ନାହିଁ ନିରନ୍ତର ଚାଲେ
କିନ୍ତୁ ଜୀବନ ସଳିତା ନିର୍ବାପିତ ହୁଏ କାଳବଳେ…..!!
କବିତା କେବେ ସୁରିଲା କବେ ବେସୁରା ଲାଗେ
ହୃଦୟ ଖୋଲି ଗାଇବାରେ ବାରଣ ନାହିଁ……
ଜୀବନ ଜଞ୍ଜାଳକୁ ପୋଛି ଦେଉଥିବା ସମଗ୍ର କ୍ଳେଶ
ଫୁଲର ମହକ ଠାରୁ କିଛି ନ୍ୟୁନ ନାହିଁ…..!!

(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Comments (0)
Add Comment