ମାଲକାନଗିରି,୦୪/୦୯(ପିପିଟି):ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ସଭାପତି ଗଙ୍ଗାଧର ସୋଡ଼ି, ମାଲକାନଗିରି ବିଧାୟକଙ୍କ ପ୍ରତିନିଧି, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ, ଉଦ୍ୟାନ ବିଜ୍ଞାନ ନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ବିଧାୟକ ପ୍ରକାଶ କରିଥିଲେ ଯେ, କୃଷକମାନେ ଆମ ଅର୍ଥନୀତିର ମୂଳଦୁଆ। ସିଏମ୍ କିଷାନ ଯୋଜନା ମାଧ୍ୟମରେ ମିଳୁଥିବା ଏହି ଆର୍ଥିକ ସହାୟତା ଚାଷୀ ଭାଇଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ସାହାଯ୍ୟ କରିବା ସହ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସ୍ତରରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୫୦ ଜଣ ଚାଷୀ ଭାଇ ଓ ଭଉଣୀମାନେ ସିଧାସଳଖ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦ୍ୱାରା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାର ମୋଟ ୫୧,୮୬୬ ଜଣ ଚାଷୀ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)